ମା’ ବଗଳାମୁଖୀଙ୍କ ଜନ୍ମ ଉତ୍ସବ ଉଦ୍ଯାପିତ : ଲାଗିହେଲା ୧୦୦୮ ପ୍ରକାରର ଭୋଗ
ବାଲେଶ୍ୱର : ବାଲେଶ୍ୱର ସହର ଉପକଣ୍ଠ କୁରୁଡ଼ା ନିକଟସ୍ଥ ଶ୍ରୀଶ୍ରୀ ପୀତାମ୍ବରା ସିଦ୍ଧ ମହାଶକ୍ତିପୀଠ ନବମ ବାର୍ଷିକ ଉତ୍ସବ ଓ ମା’ ବଗଳାମୁଖୀଙ୍କ ଜନ୍ମ ଉତ୍ସବ ଉଦ୍ଯାପିତ ହୋଇଯାଇଛି । ଗତ ୨୮ତାରିଖରୁ ଆରମ୍ଭ ହୋଇଥିବା ମା’ ବଗଳାମୁଖୀଙ୍କ ଜନ୍ମ ଉତ୍ସବ ତିନିଦିନ ଧରି ଦିବସବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ରବିବାର ସନ୍ଧ୍ୟାରେ ଉଦ୍ଯାପିତ ହୋଇଛି । ଏହି ଅବସରରେ ତିନିଦିନ ବ୍ୟାପୀ ଚାଲିଥିବା ମହାଯଜ୍ଞରେ ପୂର୍ଣ୍ଣାହୁତି ପ୍ରଦାନ କରାଯାଇଛି । ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ପକ୍ଷରୁ ଜାରି କୋଭିଡ କଟକଣା ଅନୁଯାୟୀ ପୀଠ ପକ୍ଷରୁ ଏହି ଉତ୍ସବ ନିରାଡ଼ମ୍ବର ଭାବେ ପାଳନ ହୋଇଥିଲା । କେବଳ ପୀଠ ପରିସରରେ ଅଧିଷ୍ଠାତ୍ରୀ ଦେବୀ ମା’ ବଗଳାମୁଖୀ ଓ ଅନ୍ୟ ଦେବାବେଦୀଙ୍କ ଅଭିଷେକ ଓ ଅର୍ଚ୍ଚନା ସହିତ ଯଜ୍ଞାଦିକର୍ମ ଅନୁଷ୍ଠିତ ହୋଇଥିଲା ।
ଗତ ଶୁକ୍ରବାର କଳସ ଶୋଭାଯାତ୍ରା ଓ ଘଟ ଉତ୍ତୋଳନ ସହ ବୈଦିକ ରୀତିରେ ଯଜ୍ଞକାର୍ଯ୍ୟ ଆରମ୍ଭ ହୋଇଥିଲା । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବିଜ୍ଞ ପଣ୍ଡିତ ଏବଂ ବ୍ରାହ୍ମଣ ମାନଙ୍କ ଦ୍ୱାରା ସୂର୍ଯ୍ୟପୂଜା, ଗୁରୁପୂଜା, ମଣ୍ଡଳାଦର୍ଶନ, ଅଗ୍ନିସ୍ଥାପନ, ଶ୍ରୀମନ୍ଦିରରୁ ମା’ଙ୍କ ଯଜ୍ଞ ମଣ୍ଡପକୁ ଆଗମନ, ଅର୍ଚ୍ଚନା, ସହସ୍ରାଦି ବଗଳା ମନ୍ତ୍ରରେ ଯଜ୍ଞାହୁତି ପ୍ରଦାନ କରାଯିବା ସହ ସନ୍ଧ୍ୟାରେ ପୁନର୍ବାର ମନ୍ଦିରକୁ ମା’ଙ୍କ ପ୍ରତ୍ୟାବର୍ତ୍ତନ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶଙ୍ଖ, ହୁଳହୁଳି, ଘଣ୍ଟ, ଘଣ୍ଟା, ମୃଦଙ୍ଗ ଧ୍ୱନିରେ ସମଗ୍ର ଅଞ୍ଚଳ କମ୍ପି ଉଠିଥିଲା । ପଣ୍ଡିତଙ୍କ ବେଦମନ୍ତ୍ର ସହ ଯଜ୍ଞରେ ବିଭିନ୍ନ ଆହୁତି, ଭକ୍ତମାନଙ୍କର ଶାନ୍ତସିକ୍ତ ଆରାଧନାରେ ସିଦ୍ଧ ଶକ୍ତିପୀଠରେ ସ୍ୱତନ୍ତ୍ର ଭାବ-ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଭକ୍ତମାନେ ଦିବାରାତ୍ରୀ ଭଜନ, କୀର୍ତ୍ତନରେ ମଜି ରହିଥିଲେ । ସିଦ୍ଧ ମହାଶକ୍ତିପୀଠାଧୀଶ ଆଚାର୍ଯ୍ୟ ରବିନାରାୟଣ ମିଶ୍ର ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ବିଧିପୂର୍ବକ ସମାପନ ହୋଇଥିଲା । ଜନ୍ମୋତ୍ସବ ଅବସରରେ ମା’ଙ୍କୁ ୧୦୦୮ ପ୍ରକାରର ବିଭିନ୍ନ ବ୍ୟଞ୍ଜନ, ମିଷ୍ଟାନ୍ନ, ଫଳମୂଳାଦି ପ୍ରସାଦ ଲାଗି କରାଯାଇଥିଲା । ଏପରି ଏକ ବିରଳ ପ୍ରସାଦ ଅର୍ପଣ ସେବା ଦେଖିବାକୁ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ମହାଶକ୍ତିପୀଠ ପକ୍ଷରୁ ତିନିଦିନ ଧରି ଭକ୍ତମାନଙ୍କ ନିମନ୍ତେ ସାମୁହିକ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ରବିବାର ସନ୍ଧ୍ୟାରେ ମହାଯଜ୍ଞରେ ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା । ଏହା ପରେ ଯଜ୍ଞମଣ୍ଡପରୁ ମା’ ମନ୍ଦିରକୁ ବିଜେ କରିବା ପରେ ମହାଆଳତୀ କରାଯାଇଥିଲା । ଏହାକୁ ଦେଖିବା ପାଇଁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା । ତିନିଦିନ ବ୍ୟାପୀ ଚାଲିଥିବା ଉତ୍ସବରେ ସହର ସମେତ ଜିଲାର ବିଭିନ୍ନ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ମା’ ବଗଳାମୁଖୀଙ୍କୁ ଦର୍ଶନ କରି ନିଜ ନିଜ ପରିବାର ମଙ୍ଗଳ କାମନା କରିବା ସହ ସାତଜନ୍ମର ପୁଣ୍ୟ ଅର୍ଜ୍ଜନ କରିଥିଲେ ।
