ଫକୀରମୋହନ ସାହିତ୍ୟ ପରିଷଦର ୭୬ତମ ପ୍ରତିଷ୍ଠାଦିବସ ପାଳନ
ବାଲେଶ୍ୱର : ବାଲେଶ୍ୱର ସହର ଶାନ୍ତିକାନନ ଠାରେ ଫକୀରମୋହନ ସାହିତ୍ୟ ପରିଷଦର ୭୬ତମ ପ୍ରତିଷ୍ଠା ଦିବସ ତଥା ରତ୍ନୋତ୍ସବ ପୂର୍ତ୍ତି ମହା ସାମାରୋହରେ ପାଳିତ ହୋଇଛି । ସଭାପତି ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ପୌରୋହିତ୍ୟରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ବର୍ଷିୟାନ ସାରସ୍ୱତ ସାଧକ ଡ. ପ୍ରହ୍ଲାଦ ଚରଣ ମହାନ୍ତି ଉତ୍ସବକୁ ଉଦ୍ଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ପ୍ରଫେସର ବ୍ରଜମୋହନ ମିଶ୍ର ଓ ବରେଣ୍ୟ ଅତିଥି ଭାବେ ଡା. ଚୌଧୁରୀ ସତ୍ୟବ୍ରତ ନନ୍ଦ ଯୋଗ ଦେଇ ପରିଷଦର ୭୬ବର୍ଷର ସ୍ୱର୍ଣ୍ଣିମ ଇତିହାସ ବର୍ଣ୍ଣନା କରିବା ସଙ୍ଗେସଙ୍ଗେ ପରିଷଦ ଏକ ଅନୁଷ୍ଠାନ ହୋଇ ରହିନାହିଁ ବରଂ ସାରସ୍ୱତ ଜଗତରେ ଏକ ଆନ୍ଦୋଳନ ପାଲଟି ଯାଇଛି ବୋଲି ମତବ୍ୟକ୍ତ କରିଥିଲେ ।
ସମ୍ପାଦକ ଦୀପକ ବୋଷ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଉତ୍ସବ ପ୍ରାରମ୍ଭରେ ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ରଚିତ ଓ କଲ୍ୟାଣୀ ନନ୍ଦଙ୍କ ନିର୍ଦ୍ଦେଶିତ ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା । ଏଥିରେ ବାସନ୍ତୀ କର, ସୁବ୍ରତା ମହାନ୍ତି, ତୃପ୍ତିରାଣୀ ପାତ୍ର, ତାନଶ୍ରୀ ପାଣିଗ୍ରାହୀ, ଶାନ୍ତିଲତା ବିଶି, ପୁଷ୍ପଲତା ଚକ୍ରବର୍ତ୍ତୀ, କୃଷ୍ଣା ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଗୁରୁ ପ୍ରଦୀପ ବେହେରାଙ୍କ ନିର୍ଦ୍ଦେଶନାରେ ‘ନୃତ୍ୟାୟନ’ ଅନୁଷ୍ଠାନ ପକ୍ଷରୁ ଇପ୍ସିତା ସ୍ୱାଇଁ, ଅନୁଷ୍କା ପଣ୍ଡା, ସାଇଶ୍ରୀ ପାଣି ଏବଂ ପ୍ରାଚୀ ପ୍ରଯୁକ୍ତା ପଢ଼ିଆରୀ, ମହାଶ୍ୱରୀ ଦାସ ଓ ତେଜଶ୍ରୀ ଦାସ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ।
ପରିଷଦର ୭୫ବର୍ଷ ପୂର୍ତ୍ତି ଅବସରରେ ବର୍ଷତମାମ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ୭୫ଜଣ ବରିଷ୍ଠ ପ୍ରତିିଭାଙ୍କୁ ସମ୍ବର୍ଦ୍ଧିତ କରାଯିବା ପରିପ୍ରେକ୍ଷୀରେ ଶେଷ ୧୦ଜଣଙ୍କୁ ଏତଦୁପଲକ୍ଷେ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧିତ ପ୍ରତିଭାମାନେ ହେଲେ ଅରୁଣ ଖିଲାର, ଭଗବାନ ବେହେରା, କୈଳାସ ଦାସ, କୈଳାସ ଚନ୍ଦ୍ର ଜେନା, ଭଗବାନ ଚନ୍ଦ୍ର ରାଉତ, ପ୍ରତାପ ଚନ୍ଦ୍ର ଚୌଧୁରୀ, ଇଂ. ଧରଣୀଧର ମିଶ୍ର, ସର୍ବେଶ୍ୱର ଦାସ ଓ ଜ୍ୟୋତ୍ସ୍ନାରାଣୀ ମହାନ୍ତି । ସେହିପରି ବର୍ଷତମାମ୍ ପରିଷଦ ଆନୁକୂଲ୍ୟରେ ଲୋକାର୍ପିତ ହୋଇଥିବା ୭୫ଟି ପୁସ୍ତକ ଓ ୭୫ଜଣ ସମ୍ବର୍ଦ୍ଧିତ ପ୍ରତିଭାଙ୍କ ସମ୍ପର୍କରେ ସଂକ୍ଷିପ୍ତ ବିବରଣୀ ସମ୍ବଳିତ ଏକ ପୁସ୍ତକ ‘୭୫/ପଚସ୍ତରୀ’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏହି ଅବସରରେ ଡ. ତ୍ରିପାଠୀଙ୍କ ଦ୍ୱାରା ରଚିତ ଓ ନିରଞ୍ଜନ ରାଉତଙ୍କ ନିର୍ଦ୍ଦେଶିତ ନାଟକ ‘କବି କାହାଣୀ’ ମଞ୍ଚସ୍ଥ କରାଯାଇଥିଲା । ଏଥିରେ ସଞ୍ଜୟ ପଣ୍ଡା, ପ୍ରଭାକର ସାହୁ, ଡ. ରତ୍ନାକର ସିଂହ, କୃଷ୍ଣା ପ୍ରଧାନ, ଡ. ସାରଙ୍ଗଧର ତ୍ରିପାଠୀ, ବାସନ୍ତୀ କର, ସଙ୍ଗୀତା ବାରିକ ଓ ଜୁମରନାଥ ପାତ୍ର ଅଭିନୟ କରିଥିଲେ । ଉତ୍ସବକୁ ତପନ ରାୟ, ରାଜେଶ ଗିରି, ଡ. ଶିରୀଶ ଚନ୍ଦ୍ର ଜେନା ପରିଚାଳନା କରିଥିଲେ । ଶତାଧିକ ସାହିତ୍ୟିକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।
