ସିବିଏସଇର ବଡ଼ ଘୋଷଣା : ପରୀକ୍ଷା ଫର୍ମାଟରେ ପରିବର୍ତ୍ତନ, ଦୁଇଟି ପର୍ଯ୍ୟାୟରେ ହେବ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା
ନୂଆଦିଲ୍ଲୀ : ସିବିଏସ୍ଇର ବଡ଼ ଘୋଷଣା । ଚଳିତବର୍ଷ ସିବିଏସଇ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଦୁଇଟି ପର୍ଯ୍ୟାୟରେ ହେବ। ଏହା ସହ ପରୀକ୍ଷା ଫର୍ମାଟରେ ମଧ୍ୟ ପରିବର୍ତ୍ତନ ହୋଇଛି । ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଚଳିତ ବର୍ଷ ସବଜେକ୍ଟିଭ୍ ପ୍ରଶ୍ନ ପଡ଼ିବ ନାହିଁ। ୯୦ ମିନିଟ୍ ପରୀକ୍ଷା ହେବାକୁ ଥିବା ବେଳେ ଅବଜେକ୍ଟିଭ୍ ପ୍ରଶ୍ନ ହିଁ ପଡ଼ିବ। ଏହା ବ୍ୟତୀତ ପରୀକ୍ଷା ଅନଲାଇନ୍ରେ ନହୋଇ ଅଫଲାଇନ୍ ମୋଡ୍ରେ ହେବ।
ସୂଚନା ଯେ, ଦଶମ ଏବଂ ଦ୍ବାଦଶ ପରୀକ୍ଷାର ପ୍ରଥମ ଚରଣ ଅଫଲାଇନ୍ରେ ହେବ। ଏନେଇ ଅକ୍ଟୋବର ୧୮ରେ ପରୀକ୍ଷା ତାରିଖ ପ୍ରକାଶ ପାଇବ । ଦଶମ ଏବଂ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଅବଜେକ୍ଟିଭ୍ ପ୍ରଶ୍ନରେ ଉତ୍ତର ଦେବେ ଛାତ୍ରଛାତ୍ରୀ। ସେଥିପାଇଁ ଛାତ୍ରଛାତ୍ରୀଙ୍କୁ ୯୦ ମିନିଟ୍ ସମୟ ମିଳିବ। ସିବିଏସଇ ପକ୍ଷରୁ ପ୍ରଥମ ଫେଜ୍ ପରୀକ୍ଷା ପାଇଁ ଡେଟ୍ ସିଟ୍ ପ୍ରସ୍ତୁତ କରାଯାଉଛି। ଫାଷ୍ଟ ଟର୍ମ ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ଖୁବଶୀଘ୍ର ଡେଟ୍ ସିଟ୍ ଘୋଷଣା ହେବ ବୋଲି ଜଣାପଡ଼ିଛି। ଦୁଇ ଚରଣରେ ପରୀକ୍ଷା ହେବାକୁ ଥିବା ବେଳେ ଉଭୟ ଇଣ୍ଟରନାଲ୍ ଏବଂ ପ୍ରାକ୍ଟିକାଲ୍ ପରୀକ୍ଷା ମଧ୍ୟ ଦୁଇଟି ଭାଗରେ ହେବ । ଦଶମ ଶ୍ରେଣୀର ୨୦ ନମ୍ବରର ଇଣ୍ଟରନାଲ୍ ମାର୍କିଂକୁ ୧୦-୧୦ ନମ୍ବରରେ ଭାଗ କରାଯିବାକୁ ଥିବା ବେଳେ ଦ୍ବାଦଶ ଶ୍ରେଣୀ ପାଇଁ ଏହାକୁ ୧୫-୧୫ ନମ୍ବରରେ ଭାଗ କରାଯିବ।
