ପରମବୀର ସିଂହଙ୍କ ଭ୍ରଷ୍ଟାଚାର ମାମଲାର ତଦନ୍ତ କରିବେ ସିବିଆଇ : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହଙ୍କ ଭ୍ରଷ୍ଟାଚାର ମାମଲାଗୁଡିକର ଯାଞ୍ଚ ସିବିଆଇ ଦ୍ୱାରା କରାଯିବ। ସୁପ୍ରିମକୋର୍ଟ ଗୁରୁବାର ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ କୋର୍ଟ ଆଗକୁ ଯଦି ମାମଲାରେ କୌଣସି ଏତଲା (ଏଫଆଇଆର) ରୁଜୁ ହୁଏ ଏହାକୁ ମଧ୍ୟ ସିବିଆଇକୁ ଦେଇ ଦେବାକୁ କହିଛନ୍ତି। ତେବେ ମାମଲାରେ ପରମବୀର ସିଂହଙ୍କ ନିଲମ୍ବନ ବର୍ତ୍ତମାନ ଲାଗି ଜାରି ରହିବ ଓ ତାଙ୍କ ନିଲମ୍ବନ ଆଦେଶକୁ ରଦ୍ଦ କରାଯାଇ ପାରିବେନି ବୋଲି ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଦେଇଛନ୍ତି।
ଏ ବାବଦେ ସୁପ୍ରିମକୋର୍ଟ ତାଙ୍କ ଆଦେଶରେ ମହାରାଷ୍ଟ୍ର ପୋଲିସ ପକ୍ଷରୁ ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହଙ୍କ ବିରୋଧରେ ରୁଜୁ ୫ ଅପରାଧିକ ମାମଲାର ନିରପେକ୍ଷ ଯାଞ୍ଚ ଲାଗି ସିବିଆଇକୁ ହସ୍ତାନ୍ତରିତ କରାଯାଉଥିବା କହିଛନ୍ତି। ଏଣୁ ସପ୍ତାହକ ମଧ୍ୟରେ ସମସ୍ତ ମାମଲା ସିବିଆଇକୁ ହସ୍ତାନ୍ତର କରିବା ଲାଗି କୋର୍ଟ ମୁମ୍ବାଇ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ କୋର୍ଟ ସମ୍ପୂର୍ଣ୍ଣ ପ୍ରକରଣରେ ମାମଲାର ତଦନ୍ତ ନିମନ୍ତେ ମୁମ୍ବାଇ ପୋଲିସର ସମସ୍ତ ଅଧିକାରୀଙ୍କୁ ସିବିଆଇଙ୍କୁ ତଦନ୍ତରେ ସହଯୋଗ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଏସ୍.କେ.କୌଲ ଓ ଜଷ୍ଟିସ୍ ଏମ୍.ଏମ୍. ସୁନ୍ଦରେଶଙ୍କ ପୀଠ ଆବେଦନର ଶୁଣାଣି କରି ଏହି ମାମଲାର ତଦନ୍ତ କାହା ଦ୍ୱାରା କରାଯିବା ଦରକାର ଏହି ପ୍ରସଙ୍ଗରେ ଶାସନର ଉଚ୍ଚସ୍ତରରେ ଛବି ମଳିନ ଦେଖାଯାଉଥିବା କହିଛନ୍ତି। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏଣୁ ଏହାର ନିରପେକ୍ଷ ତଦନ୍ତ କରାଯିବା ଜରୁରି , ଯେପରି ଦେଶର ନ୍ୟାୟ ଉପରେ ସାଧାରଣ ଲୋକଙ୍କ ଆସ୍ଥା ଅତୁଟ ରହିବ ବୋଲି ପୀଠ କହିଛନ୍ତି।
ଏଥିରେ କୋର୍ଟ ନିଜର ବିଚାରବ୍ୟକ୍ତ କରି ଏହି ମାମଲାକୁ ମହାରାଷ୍ଟ୍ର ସରକାର ସିବିଆଇ ଦ୍ୱାରା ତଦନ୍ତ କରିବାକୁ ସୁପାରିଶ କରିବାର ଥିଲା ବୋଲି କହିଛନ୍ତି। ଏଥିରେ ଏପରି କିଛି କଥା ରହିଛି ଯାହାକୁ ସିବିଆଇ ତଦନ୍ତରେ ଉଜାଗର କରାଯାଇପାରିବ ବୋଲି ପୀଠ କହିଛନ୍ତି। ସତ୍ୟତା କଣ, ଦୋଷ କାହାର ଏପରି ପରିଦୃଶ୍ୟ କିପରି ଉପୁଜିଲା ତାହା ସିବିଆଇ ତଦନ୍ତରୁ ସ୍ପଷ୍ଟ ହୋଇଯିବ । ଏଣୁ ଏହି ମାମଲାରେ ଏପର୍ଯ୍ୟନ୍ତ ରୁଜୁ ହୋଇଥିବା ସମସ୍ତ ୫ଟି ଜାକ ଏତଲା ସିବିଆଇକୁ ସମସ୍ତ କାଗଜପତ୍ର ସହ ସମର୍ପି ଦିଆଯାଉ ବୋଲି କୋର୍ଟ କହିଛନ୍ତି। ଏହି ସମସ୍ତ ପ୍ରକ୍ରିୟା ଯେପରି ଗୋଟିଏ ସପ୍ତାହରେ ଶେଷ ହୁଏ ସେଥି ଲାଗି ପୀଠ ତାଗିଦ କରିଛନ୍ତି।
