ଟେଷ୍ଟ କ୍ରିକେଟକୁ ବାଏବାଏ କଲେ କ୍ୟାଥରିନ ବ୍ରଣ୍ଟ, ୧୭ ବର୍ଷ ଖେଳିଛନ୍ତି ୧୬୨ ଟେଷ୍ଟ
ଲଣ୍ଡନ: ଟେଷ୍ଟ କ୍ରିକେଟକୁ ବାଏବାଏ କହିଛନ୍ତି ଇଂଲଣ୍ଡ ମହିଳା ଟିମ୍ର ଷ୍ଟାର ଅଲରାଉଣ୍ଡର କ୍ୟାଥରିନ ବ୍ରଣ୍ଟ। ଦୀର୍ଘ ୧୭ ବର୍ଷ ୧୬୨ ଦିନ ଧରି ଟେଷ୍ଟ କ୍ରିକେଟ ସହ ଜଡ଼ିତ ରହିବା ପରେ ବ୍ରଣ୍ଟ ଅବସର ଘୋଷଣା କରିଛନ୍ତି। ୨୦୦୪ ମସିହାରେ ସେ ଇଂଲଣ୍ଡ ପାଇଁ କ୍ରିକେଟର ସବୁ ଠାରୁ ଲମ୍ବା ଫର୍ମାଟରେ ଡେବ୍ୟୁ କରିଥିଲେ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏହି ମ୍ୟାଚ୍ ଖେଳା ଯାଇଥିଲା। ସେହିପରି କ୍ୟାଥରିନ ବ୍ରଣ୍ଟ ନିଜର ଶେଷ ଟେଷ୍ଟ ମ୍ୟାଚ ଚଳିତ ବର୍ଷ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ।
ଟେଷ୍ଟ କ୍ରିକେଟରୁ ଅବସର ନେବା କ୍ୟାଥରିନ ବ୍ରଣ୍ଟଙ୍କ ପାଇଁ ଆଦୌ ସହଜ ନଥିଲା ବୋଲି ସେ କହିଛନ୍ତି। ଟେଷ୍ଟରୁ ଅବସର ନେଇଥିଲେ ମଧ୍ୟ ସେ ପୂର୍ବଭଳି ଇଂଲଣ୍ଡ ପାଇଁ ଟି-୨୦ ଓ ଦିନିକିଆ ମ୍ୟାଚ୍ ଖେଳିବେ। ଇଂଲଣ୍ଡ କ୍ରିକେଟ ବ୍ରଣ୍ଟଙ୍କ ଅବସର ସହ ଗୋଟିଏ ଯୁଗର ପରିସମାପ୍ତି ଘଟିଲା ବୋଲି କହିଛି। ୩୬ ବର୍ଷୀୟ କ୍ୟାଥରିନ ବ୍ରଣ୍ଟ ନିକଟରେ ନିଜର ସାଥୀ ଖେଳାଳି ନାଟାଲି ସ୍କିଭରଙ୍କୁ ବିବାହ କରିଥିଲେ। ଏହା ଏକ ସମଲିଙ୍ଗୀ ବିବାହ। ୨୦୧୯ରେ ଏମାନଙ୍କର ନିର୍ବନ୍ଧ ହୋଇଥିଲା। ୨୦୨୦ ସେପ୍ଟେମ୍ବରରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥାଆନ୍ତେ। କିନ୍ତୁ କରୋନା ପାଇଁ ଏହା ସମ୍ଭବ ହୋଇ ପାରି ନଥିଲେ। କିନ୍ତୁ ନିକଟରେ ଅର୍ଥାତ ଚଳିତ ବର୍ଷ ମେ’ ମାସରେ ଉଭୟ ବିବାହ କରିଛନ୍ତି।
୨୦୧୭ରେ ଇଂଲଣ୍ଡ ମହିଳା ଟିମ୍ ଦିନିକିଆ ବିଶ୍ୱକପ ଜିତିଥିଲା। ଏହି ଟିମ୍ରେ ସ୍କିଭର ଓ ବ୍ରଣ୍ଟ ରହିଥିଲେ। ୨୦୨୨ ଦିନିକିଆ ବିଶ୍ୱକପରେ ବି ଦୁହେଁ ଖେଳିଥିଲେ। କିନ୍ତୁ ଇଂଲଣ୍ଡ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ଉପ ବିଜେତା ହୋଇଥିଲା। ସ୍କିଭର ଓ ବ୍ରଣ୍ଟ ଇଂଲଣ୍ଡ ମହିଳା ଟିମ୍ର ନିୟମିତ ସଦସ୍ୟ। ୨୦୨୨ ବିଶ୍ୱକପ ଫାଇନାଲରେ ସ୍କିଭର ୧୨୧ ବଲରେ ୧୪୮ ରନ୍ର ଇନିଂସ ଖେଳିଥିଲେ। ତଥାପି ଇଂଲଣ୍ଡ ହାରିଥିଲା। ସେହିପରି ୧୭ ବର୍ଷ ମଧ୍ୟରେ ୧୪ଟି ଟେଷ୍ଟ ଖେଳି ସେ ୫୧ଟି ୱିକେଟ ଦଖଲ କରିଛନ୍ତି। କ୍ୟାଥରିନ ୩ଥର ୫ କିମ୍ବା ତା’ଠାରୁ ଅଧିକ ଓ ଥରେ ୪ଟି ୱିକେଟ ନେଇଥିଲେ। ତାଙ୍କର ଶ୍ରେଷ୍ଠ ବୋଲିଂ ହେଉଛି ୬/୬୯। ଅଷ୍ଟ୍ରେଲିଆ ବିପକ୍ଷ ୨୦୦୯ ଜୁଲାଇରେ ଖେଳାଯାଇଥିବା ମ୍ୟାଚ୍ରେ ସେ ସର୍ବଶ୍ରେଷ୍ଠ ବୋଲିଂ କରିଥିଲେ।
