ଉତ୍ତରାଖଣ୍ଡରେ ପ୍ରଳୟଙ୍କରୀ ବର୍ଷା ଓ ବନ୍ୟା ବିତ୍ପାତ : ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି
ଡେରାଡୁନ : ଉତ୍ତରାଖଣ୍ଡରେ ପ୍ରଳୟଙ୍କରୀ ବର୍ଷା ପରେ ବନ୍ୟା ବିତ୍ପାତ ଦେଖା ଦେଇଛି । ବର୍ତ୍ତମାନ ସୁଦ୍ଧା ଏଥିରେ ୫୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ସ୍ଥାନରେ ଏବେବି ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି । ରାସ୍ତାଘାଟ ପୋଖରୀର ଭ୍ରମ ସୃଷ୍ଟି କରୁଛି । ରାଜ୍ୟରେ ପରିସ୍ଥିତିର ମୁକାବିଲା ପାଇଁ ଏନଡିଆରଏଫ ଟିମ୍ ନିୟୋଜିତ ହୋଇଛି । ୧୩୦୦ରୁ ଅଧିକଙ୍କୁ ବନ୍ୟା ପ୍ରଭାବିତ ଅଞ୍ଚଳରୁ ଉଦ୍ଧାର କରାଯାଇଛି । ଏନଡିଆରଏଫ ତରଫରୁ ଫଟୋ ସେୟାର ହୋଇଛି । ଯେଉଁଥିରେ ରାସ୍ତା ସାରା କାଦୁଅ ଓ ଆବର୍ଜନା ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି । ସରକାରୀ ତଥ୍ୟ ଅନୁସାରେ, ପର୍ଯ୍ୟଟକଙ୍କ ସମେତ ଅନେକ ଏବେବି ନିଖୋଜ ଅଛନ୍ତି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଉଦ୍ଧାର କାର୍ଯ୍ୟ ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ୧୦ କୋଟି ଟଙ୍କା ଲେଖାଏଁ ମଞ୍ଜୁର କରିଛନ୍ତି । ଏହାସହ ମୃତକଙ୍କ ପରିବାରକୁ ସରକାର ୪ ଲକ୍ଷ ଟଙ୍କା ଦେବେ ବୋଲି ଘୋଷଣା କରିଛନ୍ତି ।
ସ୍ଥାନୀୟ ଲୋକଙ୍କ କହିବାନୁସାରେ, ବୁଧବାର ସନ୍ଧ୍ୟା ୬ଟା ପରେ ଜଳସ୍ତର ବଢିଥିଲା । ଏନେଇ ଦୋକାନୀଙ୍କୁ ସତର୍କ କରାଯାଇଥିଲା । ତଥାପି ବଜାରଘାଟ ବୁଡି ଯାଇଥିଲା । ଅନେକ ବ୍ୟକ୍ତି ଏପରି ବନ୍ୟା ଦେଖିନଥିବା କହିଛନ୍ତି । ଆଉ କିଛି ସ୍ଥାନୀୟ ଲୋକେ ଯିବା ଆସିବା ପାଇଁ ବହୁ ଅସୁବିଧାର ସାମ୍ନା କରୁଛନ୍ତି । ସେ ଟ୍ରାକ୍ଟର ଜରିଆରେ ଯିବା ଆସିବା କରୁଛନ୍ତି । ଏଥିପାଇଁ ଟ୍ରାକ୍ଟର ଡ୍ରାଇଭର ଅଧିକ ଅର୍ଥ ମଧ୍ୟ ଦାବି କରୁଛନ୍ତି । ଏହାସତ୍ତ୍ୱେ ପାଣିରେ ବୁଡି ଯିବାର ଭୟ ରହିଛି । ରାଜ୍ୟର ପାହାଡିଆ ଅଞ୍ଚଳରେ ପାଣି କମିଥିବା ବେଳେ ତଳିଆ ଅଞ୍ଚଳ ଜଳମଗ୍ନ ହୋଇ ରହିଛି । କେଉଁଆଡେ ଯିବାକୁ ହେଲେ ବନ୍ୟାଜଳ ଦେଇ ଯିବାକୁ ପଡୁଛି ।
