କ୍ୟାପଟେନ ରାହାଣେଙ୍କ ଖୁଲାସା! ପ୍ରଥମ ଟେଷ୍ଟରେ ଡେବ୍ୟୁ କରିବେ ଏହି ଖେଳାଳି, ନେବେ କୋହଲିଙ୍କ ସ୍ଥାନ
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଆସନ୍ତାକାଲି ଠାରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଖେଳିବାକୁ ଯାଉଛି । ନିୟମିତ ଅଧିନାୟକ ବିରାଟ କୋହଲି ବିଶ୍ରାମ ନେଉଥିବାରୁ ଅଜିଙ୍କ୍ୟ ରାହାଣେ ଏହି ସିରିଜର ପ୍ରଥମ ମ୍ୟାଚରେ ଦଳର ଅଧିନାୟକ ହେବାକୁ ଯାଉଛନ୍ତି । କିନ୍ତୁ ଦୀର୍ଘ ଦିନ ଧରି ଏହା ଚର୍ଚ୍ଚା ହେଉଛି ଯେ ଅଧିନାୟକ କୋହଲିଙ୍କ ସ୍ଥାନରେ କେଉଁ ବ୍ୟାଟ୍ସମ୍ୟାନ୍ ୪ ନମ୍ବରରେ ପଡ଼ିଆକୁ ଓଲ୍ହାଇବେ । ବର୍ତ୍ତମାନ କ୍ୟାପଟେନ ରାହାଣେ ନିଜେ ଏହା ଖୁଲାସା କରିଛନ୍ତି ।
ପ୍ରଥମ ଟେଷ୍ଟର ଠିକ୍ ପୂର୍ବରୁ ଅଧିନାୟକ ଅଜିଙ୍କ୍ୟ ରାହାଣେ ଏକ ବଡ଼ ଖୁଲାସା କରି କହିଛନ୍ତି ଯେ ଷ୍ଟାର ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର୍ ଏହି ମ୍ୟାଚ୍ ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ସିରିଜ୍ ପାଇଁ ଆୟର୍ଙ୍କୁ ଦଳରେ ସାମିଲ କରାଯାଇଥିଲା, କିନ୍ତୁ ସୂର୍ୟ୍ଯକୁମାର ଯାଦବ ଏବଂ ଆୟରଙ୍କ ମଧ୍ୟରେ କେଉଁ ଖେଳାଳି ପ୍ରଥମ ଟେଷ୍ଟରେ ଡେବ୍ୟୁ କରିବେ ସେନେଇ ନିରନ୍ତର ପ୍ରଶ୍ନ ରହିଥିଲା । ବର୍ତ୍ତମାନ ରାହାଣେ ନିଜେ କହିଛନ୍ତି ଯେ ଆୟର୍ ପ୍ରଥମ ଟେଷ୍ଟରେ କୋହଲିଙ୍କ ସ୍ଥାନ ନେବାକୁ ଯାଉଛନ୍ତି ।
ଶ୍ରେୟସ୍ ଆୟର ଦୀର୍ଘ ଦିନ ଧରି ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନେରୁ ଦୂରେଇ ରହିଛନ୍ତି । ଏହାର କାରଣ ହେଉଛି ସେ ଚଳିତ ବର୍ଷ ପ୍ରାରମ୍ଭରେ ଆହତ ହୋଇଥିଲେ । ଆୟରଙ୍କୁ ଟି-୨୦ ବିଶ୍ୱକପରେ ରିଜର୍ଭ ଖେଳାଳିଙ୍କ ମଧ୍ୟରେ ମଧ୍ୟ ରଖାଯାଇଥିଲା । କିନ୍ତୁ ବର୍ତ୍ତମାନ ସେ ପ୍ରଥମ ଥର ପାଇଁ ଭାରତର ଟେଷ୍ଟ ଦଳରେ ମନୋନୀତ ହୋଇଛନ୍ତି । କେବଳ ଏତିକି ନୁହେଁ ସେ ଡେବ୍ୟୁ କରିବାକୁ ମଧ୍ୟ ଯାଉଛନ୍ତି । କୋହଲିଙ୍କ ଅନୁପସ୍ଥିତିରେ, ଆୟରଙ୍କୁ ତାଙ୍କ ସ୍ଥାନକୁ ପକ୍କା କରିବାର ଏକ ଭଲ ସୁଯୋଗ ମିଳିବ । କିଛି ନୂଆ ଖେଳାଳିଙ୍କୁ ଟିମ୍ ଇଣ୍ଡିଆରେ ମଧ୍ୟ ସୁଯୋଗ ଦିଆଯାଇଛି । ଆହୁରି ଅନେକ ଖେଳାଳି ଅଛନ୍ତି ଯେଉଁମାନେ ଭାରତ ପାଇଁ ପ୍ରଥମ ଥର ପାଇଁ ଟେଷ୍ଟ ଖେଳିବେ ।ସେଥିମଧ୍ୟରୁ ଯୁବ ବ୍ୟାଟ୍ସମ୍ୟାନ୍ କେ.ଏସ୍ ଭରତ, ଶ୍ରେୟସ୍ ଆୟର ଏବଂ ପ୍ରସିଦ୍ଧ କୃଷ୍ଣଙ୍କ ନାମ ମଧ୍ୟ ରହିଛି । ଏଥି ସହିତ ଜୟନ୍ତ ଯାଦବଙ୍କୁ ଦୀର୍ଘ ସମୟ ପରେ ପୁଣି ଥରେ ଦଳରେ ସ୍ଥାନ ଦିଆଯାଇଛି । ଏଥି ସହିତ ଶୁଭମନ ଗିଲ ପୁଣି ଥରେ ଟେଷ୍ଟ ଦଳକୁ ଫେରିଛନ୍ତି । ଭାରତର ନିୟମିତ ଅଧିନାୟକ ବିରାଟ କୋହଲି ପ୍ରଥମ ଟେଷ୍ଟ ମ୍ୟାଚରୁ ବିଶ୍ରାମ ନେଇଛନ୍ତି । ଏଭଳି ପରିସ୍ଥିତିରେ ଅଜିଙ୍କ୍ୟ ରାହାଣେ ଦଳର ଅଧିନାୟକ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି । କୋହଲି ଦ୍ୱିତୀୟ ଟେଷ୍ଟରୁ ଦଳକୁ ଫେରିବେ ।
ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ସିରିଜର କାର୍ଯ୍ୟସୂଚୀ:
ପ୍ରଥମ ଟେଷ୍ଟ ମ୍ୟାଚ୍ – ୨୫ ରୁ ୨୯ ନଭେମ୍ବର ୨୦୨୧ – କାନପୁର
ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ – ୩ ରୁ ୭ ଡିସେମ୍ବର ୨୦୨୧ – ମୁମ୍ବାଇ
