ଲଖିମପୁର-ଖେରୀରେ ଚାଷିଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ପ୍ରସଙ୍ଗ : କଂଗ୍ରେସ ପକ୍ଷରୁ ମହମବତୀ ଶୋଭାଯାତ୍ରା
ବାଲେଶ୍ୱର : ଉତରପ୍ରଦେଶର ଲଖିମପୁର-ଖେରୀ ଅଞ୍ଚଳରେ ଦୁଇ ଦିନ ତଳେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ୮ ଜଣ କୃଷକଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରିବା ଘଟଣାକୁ ଏଆଇସିସି ତୀବ୍ର ନିନ୍ଦା କରିଛି । ଏହି ଘଟଣାର ବିଚାରବିଭାଗୀୟ ତଦନ୍ତ ସାଙ୍ଗକୁ ସମ୍ପୃକ୍ତ ମନ୍ତ୍ରୀ ଏବଂ ତାଙ୍କ ପୁଅକୁ ଗିରଫ ଦାବି କରିଛି ନିଖିଳ ଭାରତ କଂଗ୍ରେସ ଦଳ । ଗତ ସୋମବାର ଭୋର୍ ୪ଟା ସମୟରେ ଏଆଇସିସିର ସାଧାରଣ ସମ୍ପାଦକ ତଥା ଉତ୍ତରପ୍ରଦେଶ ଦାୟିତ୍ୱରେ ଥିବା ତୁଙ୍ଗନେତ୍ରୀ ପ୍ରିୟାଙ୍କା ଗାନ୍ଧୀ ଉକ୍ତ ଅଂଚଳକୁ ଯାଇ ମୃତଚାଷୀଙ୍କ ପରିବାରକୁ ଭେଟିବା ପାଇଁ ଯାଉଥିବା ବେଳେ ତାଙ୍କୁ ପୁରୁଷ ପୋଲିସମାନେ ଗିରଫ କରିଥିଲେ । ଦୀର୍ଘ ୪୦ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଉତରପ୍ରଦେଶ ତାଙ୍କୁ ଛାଡ଼ିନାହିଁ । ଏହାର ପ୍ରଦିବାଦ କରି ବାଲେଶ୍ୱର ଜିଲା କଂଗ୍ରେସ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ କଂଗ୍ରେସ କର୍ମୀମାନେ ଷ୍ଟେସନ ଛକସ୍ଥିତ ପୂର୍ବତନ ରାଷ୍ଟ୍ରପତି ଏ ପି ଜେ ଅବଦୁଲ କଲାମ ପ୍ରତିମୂର୍ତ୍ତି ଠାରୁ ଫକୀରମୋହନ ଗୋଲେଇସ୍ଥିତ ଫକୀରମୋହନ ସେନାପତିଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ମହମବତୀ ଶୋଭାଯାତ୍ରା କରିଛନ୍ତି ।
ଜିଲା କଂଗ୍ରେସ ସଭାପତି ସଞ୍ଜୀବ ଗିରିଙ୍କ ନେତୃତ୍ୱରେ ମହିଳା କଂଗ୍ରେସ, ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସର କର୍ମକର୍ତ୍ତା ଓ ଶତାଧିକ କର୍ମୀ ସ୍ଥାନୀୟ ଷ୍ଟେସନ ଛକରୁ ମହମବତୀ ଶୋଭାଯାତ୍ରା ଆରମ୍ଭ କରି ଫକୀରମୋହନ ଗୋଲେଇ ପର୍ଯ୍ୟନ୍ତ ନୀରବରେ ଆସିଥିଲେ । ସେଠାରେ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କୁଶପୁତଳିକା ଦାହ କରିଥିଲେ । ପ୍ରଧାନମନ୍ତ୍ରୀ ଓ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ କୃଷକମାନଙ୍କ ଆନ୍ଦୋଳନକୁ ଦବାଇ ଦେବାପାଇଁ ଯେଭଳି ନୃଶଂସ ଭାବେ ନିରୀହ ଚାଷୀମାନଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରିଛନ୍ତି, ଏହାର ଜବାବ ଜନତା ଦେବେ ବୋଲି ଶ୍ରୀ ଗିରି କହିଛନ୍ତି । କାର୍ଯ୍ୟକ୍ରମରେ ପିସିସି ସମ୍ପାଦିକା ଅର୍ଚ୍ଚନା ନନ୍ଦୀ, ରେମୁଣା କଂଗ୍ରେସ ବ୍ଲକ ସଭାପତି ତରୁଣ ଦାସ, ଜିଲା ଉପସଭାପତି ଗୋପୀନାଥ ପାଢ଼ୀ, ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ପ୍ରଜ୍ଞାପାରମିତା ମହାନ୍ତି, ଜିଲା ଯୁବକଂଗ୍ରେସ ସଭାପତି ରଞ୍ଜନ ଦାସ, ଜିଲା ଛାତ୍ରକଂଗ୍ରେସ ସଭାପତି ଗୌତମ ସାହୁ, ପୂର୍ବତନ ସରପଂଚ କହ୍ନେଇ ପ୍ରଧାନ, ପୂର୍ବତନ ସମିତି ସଭ୍ୟ କନ ବେହେରା, ଜିଲା କଂଗ୍ରେସ ସାଧାରଣ ସମ୍ପାଦକ ଦେବଦତ ଦାସ, ଜିଲା ଯୁବକଂଗ୍ରେସ ସୋସିଆଲ ମିଡ଼ିଆ ପ୍ରଭାରୀ ଘନଶ୍ୟାମ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।
