ବୈତରଣୀ ଆନିକଟ୍ ନିର୍ମାଣ ନିମନ୍ତେ କ୍ୟାବିନେଟ୍ ଅନୁମୋଦନ
ଯାଜପୁର : ନଦୀ ଗର୍ଭ ସମିତି ଜଳ ସଂରକ୍ଷଣ ଆନିକଟ୍ ନିର୍ମାଣ ପ୍ରକଳ୍ପ ଯୋଜନାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଯାଜପୁର ନିର୍ବାଚନ ମଣ୍ଡଳୀ ତଥା ଦଶରଥପୁର ବ୍ଲକ ଡୋଭାବିଲ୍ ଠାରେ ଏକ ବୃହତ ଆନିକଟ୍ ନିର୍ମାଣ ପାଇଁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ଗ୍ରହଣ କରିଛି । ଏହି ପ୍ରକଳ୍ପ ନିର୍ମାଣ ପାଇଁ ସରକାର ମୋଟ୍ ୨୦୧ କୋଟି ଟଙ୍କା ବ୍ୟୟବରାଦ କରିଥିବା ବେଳେ ପ୍ରକଳ୍ପଟି ବୈତରଣୀ ନଦୀରେ ନିର୍ମାଣ ହେବାକୁ ସ୍ଥିର ହୋଇଛି । ଏହା ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୫ଟି ପଞ୍ଚାୟତ ସମେତ ଦଶରଥପୁର ବ୍ଲକ ଅଧିନ ଜୟନ୍ତରା, ତରପଦା, ଦୁଦୁରାଅନ୍ତା ଓ ଦତ୍ତପୁର ପଞ୍ଚାୟତର ଆଖୁଆ ସାହି, କୁଆଁର ସାହି, କଣ୍ଟାପଡ଼ା, ବ୍ରହ୍ମଚାରୀପାଟଣା, ଅର୍ଦ୍ଦାଉଳିଆ, ବଳରାମପୁର, ଇଚ୍ଛାପୁର, କମାଳପୁର, ପଲାସାହି, ଡୋଭାବିଲ, ମଲ୍ଳିକାପୁର, ଦତ୍ତପୁର, ନାରାୟଣପୁର, ବୈଷପାନ, ରଡଗାଁ, ହେମନ୍ତପୁର ଓ ନୂଆପାଟଣା ଗ୍ରାମବାସୀଙ୍କ ପାନୀୟ ଜଳ ଓ ଘରୋଇ ବ୍ୟବହାର ନିମନ୍ତେ ପର୍ଯ୍ୟାପ୍ତ ଜଳ ଉପଲବ୍ଧ କରାଇବା ସହିତ ସ୍ଥାନୀୟ ଜନସାଧାରଣଙ୍କ ସାମାଜିକ ଓ ଆର୍ଥିକ ଉନ୍ନତି ଦିଗରେ ଫଳପ୍ରଦ ହେବ । ଏହି ଖବର ଜଣାପଡିବା ପରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଥିବା ବେଳେ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ସମେତ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି ।
