୨୦୩୦ ସୁଦ୍ଧା ଜାପାନକୁ ପଛରେ ପକାଇ ଅର୍ଥନୀତିରେ ଆଗକୁ ବଢିବ ଭାରତ
ନୂଆଦିଲ୍ଲୀ : ଆସନ୍ତା ୨୦୩୦ ସୁଦ୍ଧା ଜାପାନକୁ ପଛରେ ପକାଇ ଅର୍ଥନୀତିରେ ଆଗକୁ ବଢିବ ଭାରତ। ଏଥିସହିତ ଏହାର ଜିଡିପି ସେହି ସମୟ ସୁଦ୍ଧା ଜର୍ମାନୀ ଓ ବ୍ରିଟେନକୁ ଅତିକ୍ରମ କରି ବିଶ୍ୱରେ ତୃତୀୟ ସ୍ଥାନରେ ପହଞ୍ଚିବ ବୋଲି ଆଇଏଚଏସ ମାର୍କିଟ ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି। ସଂପ୍ରତି ଭାରତ ବିଶ୍ୱର ଷଷ୍ଠ ବୃହତ ଅର୍ଥନୀତି ଭାବରେ ପରିଚିତ ହେଉଛି। ଆମେରିକା, ଚୀନ, ଜାପାନ, ଜର୍ମାନୀ ଓ ବ୍ରିଟେନ ପରେ ଭାରତ ରହିଛି।
ଭାରତର ନୋମିନାଲ ଜିଡିପି ଆମେରିକୀୟ ଡଲାର ଆକାରରେ ୨୦୨୧ରେ ୨.୭ ଟ୍ରିଲିଅନ ଡଲାର ଥିବାବେଳେ ୨୦୩୦ ସୁଦ୍ଧା ୮.୪ ଟ୍ରିଲିଅନ ଡଲାରରେ ପହଞ୍ଚିବା ଏହି ରିପୋର୍ଟରେ ଆକଳନ କରାଯାଇଛି। ଏଥିରେ କୁହାଯାଇଛି ଯେ ଭାରତୀୟ ଅର୍ଥନୀତିର ଦ୍ରୁତ ସମ୍ପ୍ରସାରଣ ଯୋଗୁଁ ଏହାର ଜିଡିପି ୨୦୩୦ ସୁଦ୍ଧା ଜାପାନକୁ ଅତିକ୍ରମ କରିଯିବ। ଏହାଦ୍ୱାରା ଭାରତ ଏସିଆ ମହାଦେଶରେ ଦ୍ୱିତୀୟ ସର୍ବବୃହତ ଅର୍ଥନୀତି ଭାବରେ ଉଭା ହେବ। ସେହି ସମୟ ବେଳକୁ ଭାରତୀୟ ଅର୍ଥନୀତିର ଆକାର ମଧ୍ୟ ଜର୍ମାନୀ, ଫ୍ରାନ୍ସ ଏବଂ ବ୍ରିଟେନ ଭଳି ପଶ୍ଚିମ ୟୁରୋପର ସର୍ବବୃହତ ଅର୍ଥନୀତି ଠାରୁ ବଡ ହୋଇଥିବ। ମୋଟାମୋଟି ଭାବରେ ଆଗାମୀ ଦଶନ୍ଧିରେ ଭାରତ ବିଶ୍ୱର ଅନ୍ୟତମ ଦ୍ରୁତତମ ଅଭିବୃଦ୍ଧିଶୀଳ ରାଷ୍ଟ୍ର ହୋଇ ରହିବ। ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସକାରାତ୍ମକ ଦିଗ ହେଉଛି ଏହାର ଦ୍ରୁତ ଅଭିବୃଦ୍ଧିଶୀଳ ମଧ୍ୟମ ବର୍ଗ। ଏହି ବର୍ଗ ଦେଶର ଉପଭୋକ୍ତା ଆହରଣକୁ ଆଗେଇନେବାରେ ମୁଖ୍ୟ ଭୂମିକା ନିର୍ବାହ କରୁଛନ୍ତି। ଦେଶରେ ଉପଭୋକ୍ତା ଆହରଣ ଖର୍ଚ୍ଚ ୨୦୨୦ରେ ୧.୫ ଟ୍ରିଲିଅନ ଡଲାର ଥିବାବେଳେ ୨୦୩୦ ସୁଦ୍ଧା ତାହା ୩ ଟ୍ରିଲିଅନ ଡଲାରକୁ ବୃଦ୍ଧିପାଇବ ବୋଲି ମାର୍କିଟ ପକ୍ଷରୁ କୁହାଯାଇଛି।
