ବାଇକକୁ ଧକ୍କା ଦେଲା ବସ୍, ଗୋଟିଏ ପରିବାରର ୪ ସଦସ୍ୟ ମୃତ
ଭୋପାଳ : ମଧ୍ୟପ୍ରଦେଶରେ ଅଭାବନୀୟ ଘଟଣା, ବାଇକକୁ ପଛପଟୁ ଧକ୍କା ଦେଲା ବସ, ଆଖି ବୁଜିଲେ ଗୋଟିଏ ପରିବାରର ୪ଜଣ ସଦସ୍ୟ । ଏଭଳି ଘଟଣା ଘଟିଛି ଧର ଜିଲ୍ଲାର ଧାମନୋଦ ଥାନା ଅଞ୍ଚଳରେ । ମୃତକଙ୍କ ମଧ୍ୟରେ ୨ଜଣ ସ୍ବାମୀ ସ୍ତ୍ରୀ ହୋଇଥିବାବେଳେ ଜଣେ ନାବାଳିକା ଓ ନାବାଳକ ରହିଛନ୍ତି । ବିକାନର ଅଞ୍ଚଳର ୪୦ ବର୍ଷିୟ ଦେବୀ ସିଂହ, ତାଙ୍କ ପତ୍ନୀ ଅନିତା, ସେମାନଙ୍କ ୧୪ ବର୍ଷର ନାବାଳିକା ଓ ୭ ବର୍ଷର ଶିଶୁର ମୃତ୍ୟୁ ହୋଇଥିବା ପୁଲିସ ତରଫରୁ ସୂଚନା ପ୍ରଦାନ କରାଯାଇଛି ।
ଏନେଇ ଧାମନୋଦ ଥାନା ଇନଚାର୍ଜ ରାଜକୁମାର ଯାଦବ କହିଛନ୍ତି, “ଦେବୀ ସିଂହ ଏକ ବାଇକ ଯୋଗେ ତାଙ୍କ ସ୍ତ୍ରୀ ଓ ୨ ପିଲାଙ୍କୁ ନେଇ ତାଙ୍କ ଗାଁ ଅଭିମୁଖେ ବାହାରିଥିଲେ । ରାସ୍ତାରେ ଯାଉଥିବା ବେଳେ ଭାଟି ଢାବା ନିକଟରେ ଏକ ଦ୍ରୁତଗାମୀ ବସ୍, ବାଇକ ଚାଳକଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଦେବୀ ସିଂହ, ତାଙ୍କ ପତ୍ନୀ ଓ ଜଣେ ଶିଶୁର ମୃତ୍ୟୁ ହୋଇଥିଲା । ଏନେଇ ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଜଣେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା । କିନ୍ତୁ ଡାକ୍ତରେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହା ପରେ ମୃତଦେହକୁ ପୋଷ୍ଟମର୍ଟ ପାଇଁ ପଠାଇ ତଦନ୍ତ ଜାରି ରହିଥିବା ପୋଲିସ ତରଫରୁ ସୂଚନା ମିଳିଛି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ”ବାଇକକୁ ଧକ୍କା ଦେବା ପରେ ବସର ଡ୍ରାଇଭର ଜଣଙ୍କ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଏହାପରେ ଦୁର୍ଘଟଣା ଘଟାଇଥିବା ବସଟିକୁ ଧାମନୋଦ ଖାଲଘାଟ ଟୋଲ ପାର ହେଉଥିବା ଦେଖିବାକୁ ମିଳିଥିଲା । ଫଳରେ ଉତ୍ୟକ୍ତ ଲୋକେ ବସ ଉପରକୁ ପଠର ମାଡ କରିଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ବସଟିକୁ ଜବତ କରିବା ସହ ଫେରାର ଥିବା ଡ୍ରାଇଭରକୁ ତଦନ୍ତ ଜାରି ରଖିଛି ।
