ଜାନୁଆରୀ ୩୧ରୁ ସଂସଦର ବଜେଟ ଅଧିବେଶନ, ଫେବ୍ରୁଆରି ୧ରେ କେନ୍ଦ୍ର ବଜେଟ୍
FILE PHOTO: Indian parliament building is reflected in a puddle after the rain in New Delhi, India July 20, 2018. REUTERS/Adnan Abidi
ନୂଆଦିଲ୍ଲୀ : ଆସନ୍ତା ଜାନୁଆରି ୩୧ରୁ ଆରମ୍ଭ ହେବ ସଂସଦର ଗୁରୁତ୍ୱପୂର୍ଣ୍ଣ ବଜେଟ୍ ଅଧିବେଶନ । ଏହି ଅଧିବେଶନ ଏପ୍ରିଲ ୬ ପର୍ଯ୍ୟନ୍ତ ଚାଲିବା ସମ୍ଭାବନା ରହିଛି। ଫେବୃଆରୀ ୧ରେ ଉପସ୍ଥାପିତ ହେବ କେନ୍ଦ୍ର ବଜେଟ। ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ହେବ ବଜେଟ ଅଧିବେଶନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହକୁ ସମ୍ବୋଧନ କରିବେ। ସଂସଦରେ ପ୍ରଥମ ଥର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିଭାଷଣ ରଖିବେ ବୋଲି ସୂଚନା ମିଳିଛି।
ବଜେଟ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହର ମିଳିତ ଅଧିବେଶନରେ ନିଜର ଅଭିଭାଷଣ ରଖିବେ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୨୨-୨୩ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଆଗତ କରିବେ । ଏହାର ଦିନକ ପରେ ଅର୍ଥାତ୍ ଫେବ୍ରୁଆରି ୧ରେ ଅର୍ଥମନ୍ତ୍ରୀ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିବେ । ମୋଦୀ ସରକାରଙ୍କ ୨ୟ କାର୍ଯ୍ୟକାଳରେ ଏହା ହେବ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ । କାରଣ ୨୦୨୪ରେ ସାଧାରଣ ନିର୍ବାଚନ ଥିବାରୁ ତା ପୂର୍ବରୁ ସେହିବର୍ଷ ଫେବ୍ରୁଆରି ପହିଲାରେ ଅର୍ଥମନ୍ତ୍ରୀ ଲୋକସଭାରେ ଲେଖାନୁଦାନ ଆଗତ କରିବେ ଓ ନୂଆ ସରକାର ଆସିବା ପରେ ଜୁନ-ଜୁଲାଇ ବେଳକୁ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରିବେ ।
ମୋଦୀ ସରକାରଙ୍କର ବର୍ତମାନର କାର୍ଯ୍ୟକାଳରେ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହୋଇଥିବାରୁ ଏଥିରେ ସରକାର କେତେକ ଲୋକପ୍ରୀୟ ଯୋଜନା ସଂପର୍କରେ ଘୋଷଣା କରିପାରନ୍ତିୁ । ଏପରିକି ଦରବୃଦ୍ଧିକୁ ନେଇ ଚାପରେ ଥିବା ମଧ୍ୟବିତ ବର୍ଗଙ୍କୁ ଆକୃଷ୍ଟ କରିବାକୁ ସରକାର ଆୟକର ଛାଡ଼ସୀମା ବଢାଇପାରନ୍ତି ।
