ବଜେଟ୍ ୨୦୨୨ : ଦ୍ୱିତୀୟ ବର୍ଷ ପାଇଁ ଆୟକର ଛାଡ ସୀମା ଅପରିବର୍ତ୍ତିତ
ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପନ କରିଥିବା ୨୦୨୨-୨୩ ବର୍ଷ ପାଇଁ ସାଧାରଣ ବଜେଟରେ ଆୟକର ସ୍ଲାବରେ କୌଣସି ପରିବର୍ତ୍ତନ କରିନାହାନ୍ତି । କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଆୟକର ଛାଡ ସୀମା ଅପରିବର୍ତ୍ତିତ ରହିଛି । ବାର୍ଷିକ ଅଢେଇ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ଟିକସ ଲାଗିବ ନାହିଁ । ବଜେଟରେ କର୍ମଚାରୀଙ୍କ ପେନସନରେ ଟିକସ ଛାଡ ଘୋଷଣା କରାଯାଇଛି । ଆୟକର ରିଟର୍ଣ୍ଣରେ ଥିବା ଭୁଲ ସୁଧାରିବାକୁ ସୁଯୋଗ ମିଳିବ । ଦୁଇ ବର୍ଷ ମଧ୍ୟରେ ଭୁଲ ସୁଧାର ହୋଇପାରିବ ।
ଏବେ ଆୟକର ଛାଡ଼ ସୀମା ଅଢେଇ ଲକ୍ଷ ଟଙ୍କା ରହିଛି । ବରିଷ୍ଠ ନାଗରିକଙ୍କ ପାଇଁ ଏହି ଛାଡ଼ ସୀମା ୩ ଲକ୍ଷ ଟଙ୍କା ରହିଛି । ତେବେ ବଜେଟ ଅଭିଭାଷଣରେ କରାଯାଇଥିବା ଆଉ ଏକ ଘୋଷଣା ଅନୁସାରେ ଆୟକରଦାତା ମାନେ ନିଜର ଆୟକର ରିଟର୍ଣ୍ଣ ଆସେସମେଣ୍ଟ ୨ ବର୍ଷ ମଧ୍ୟରେ ସଂଶୋଧିତ ଆୟକର ରିଟର୍ଣ୍ଣ ଦାଖଲ କରିପାରିବେ । ଅନ୍ୟପକ୍ଷରେ କର୍ପୋରେଟ ସରଚାର୍ଜରେ ହ୍ରାସ ଘୋଷଣା କରାଯାଇଛି । ଷ୍ଟାର୍ଟଅପ ଗୁଡ଼ିକ ଉପରେ ଲାଗୁ ଟିକସ ରିହାତି ସମୟକୁ ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଅନ୍ୟପକ୍ଷରେ ଭର୍ଚୁଆଲ ଡିଜିଟାଲ ଆସେଟ ( କ୍ରିପ୍ଟୋ କରେନ୍ସି ଇତ୍ୟାଦି)ରୁ ଆୟ ଓ ଏଗୁଡ଼ିକର ଟ୍ରାନ୍ସଫର ଉପରେ ୩୦ ପ୍ରତିଶତ ଟିକସ ଲାଗିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ଆୟ ସଂପର୍କରେ କୌଣସି ରିହାତି ଦିଆଯିବ ନାହିଁ ।
