ବ୍ରଜରାଜନଗର ଉପ-ନିର୍ବାଚନ : ବିଜେଡି ପ୍ରାର୍ଥୀ ହେଲେ ଅଳକା ମହାନ୍ତି
ଭୁବନେଶ୍ବର: ବ୍ରଜରାଜନଗର ଉପ-ନିର୍ବାଚନ ଲାଗି ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଅଳକା ମହାନ୍ତିଙ୍କ ନାଆଁ ଘୋଷଣା କରିଛନ୍ତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବ୍ରଜରାଜନଗରର ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ବିଧବା ପତ୍ନୀ ହେଉଛନ୍ତି ଅଳକା ମହାନ୍ତି।
ଆଜି ପ୍ରାର୍ଥୀ ଘୋଷଣା ନେଇ ନବୀନ ନିବାସରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ସୁବାସ ସିଂ, ମନ୍ତ୍ରୀ ସୁଶାନ୍ତ ସିଂ ଓ ନବ ଦାସ ଉପସ୍ଥିତ ଥିଲେ । ଅନ୍ୟପକ୍ଷରେ ଗତ ରବିବାର ବିଜେପି ପକ୍ଷରୁ ଘୋଷଣା ହୋଇଥିଲା ପ୍ରାର୍ଥୀ । ବିଜେପିରୁ ରାଧାରାଣୀ ପଣ୍ଡାଙ୍କ ପ୍ରାର୍ଥୀତ୍ୱ ଉପରେ ମୋହର ମାରିଥିଲା ଭାରତୀୟ ଜନତା ପାର୍ଟି । ସେହିଭଳି କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇନି । ତଥାପି କିଶୋର ପଟେଲଙ୍କ ଦଳୀୟ ପ୍ରାର୍ଥୀ କରିବା ନେଇ ଏକପ୍ରକାର ନିଷ୍ପତ୍ତି ହୋଇଛି ।
ସୂଚନା ଯେ, ଗତ ଡିସେମ୍ବର ୩୦ରେ ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗ ପରେ ଏହି ଆସନ ଖାଲି ପଡ଼ିଥିଲା। ଚଳିତ ମେ’୩୧ରେ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି। ତାରିଖ ଘୋଷଣା ପରଠାରୁ ରାଜନୈତିକ ଉଷ୍ମତା ଜୋର୍ ଧରିଥିବାବେଳେ ପ୍ରାର୍ଥିତ୍ବକୁ ନେଇ କୌଣସି ଦଳ ସ୍ପଷ୍ଟ ସଙ୍କେତ ଦେଇନଥିଲେ। ତେବେ, ବିଜେଡିରୁ ଦିବଂଗତ ବିଧାୟକଙ୍କ ପତ୍ନୀ ଅଳକା ମହାନ୍ତି ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ ଦୀପାଳିଙ୍କ ନାମ ଚର୍ଚ୍ଚାରେ ରହିଥିଲା।
