ବୟଫ୍ରେଣ୍ଡଙ୍କୁ ମାଡ଼ ମାରି ପ୍ରେମିକାଙ୍କୁ ଉଠାଇ ନେଲେ ୩ ଯୁବକ : ଜଙ୍ଗଲରେ ଗଣଦୁଷ୍କର୍ମ ଅଭିଯୋଗ
ବାରିପଦା : ବୟଫ୍ରେଣ୍ଡଙ୍କୁ ମାଡ଼ ମାରି ପ୍ରେମିକାଙ୍କୁ ଦୁଷ୍କର୍ମ । + ୩ରେ ପଢ଼ୁଥିବା ପ୍ରେମିକାଙ୍କୁ ଜଙ୍ଗଲ ଭିତରକୁ ଉଠାଇ ନେଲେ ତିନି ଯୁବକ। ସେଠାରେ ତାଙ୍କୁ ଜଣେ ପରେ ଜଣେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ସୂଚନା ଯେ, ଗତ ଶୁକ୍ରବାର ସନ୍ଧ୍ୟା ବେଳେ + ୩ରେ ପଢ଼ୁଥିବା ଛାତ୍ରୀ ଜଣକ ନିଜର ବୟଫ୍ରେଣ୍ଡ (ଇଞ୍ଜିନିୟରିଂ ଛାତ୍ର) ସହ ବାଇକ୍ରେ ବାଲେଶ୍ୱରରୁ ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଅଭିମୁଖେ ଆସୁଥିଲେ। ତେବେ ସେମାନେ କଳମା ଛକ ନିକଟରେ ଅଟକି ଥିଲେ। ଠିକ୍ ଏହି ସମୟରେ ବାଙ୍କତିରା ଗାଁର ୩ ଜଣ ଯୁବକ ବାଇକ୍ରେ ଆସି ସେମାନଙ୍କ ପାଖରେ ଅଟକି ଥିଲେ । ପରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପରେ ଛାତ୍ରୀଙ୍କ ବୟଫ୍ରେଣ୍ଡଙ୍କୁ ନିସ୍ତୁକ ଭାବେ ମାଡ଼ ମାରି ପ୍ରେମିକାଙ୍କୁ ଜଙ୍ଗଲ ଭିତରକୁ ଉଠାଇ ନେଇ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଉକ୍ତ ସମୟରେ ବୈଶିଙ୍ଗା ଥାନା ପୋଲିସ ପାଟ୍ରୋଲିଂ କରୁଥିଲା। ମାଡ଼ ଖାଇଥିବା ଯୁବକ ଜଣକ ପୋଲିସ ଗାଡ଼ିକୁ ଅଟକାଇ ଉକ୍ତ ଘଟଣା ସମ୍ପର୍କରେ କହିଥିଲେ। ଏହା ପରେ ପୋଲିସ ଜଙ୍ଗଲ ଭିତରକୁ ଯାଇ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ଗୋଟିଏ ମନିପର୍ସ ଓ ଅଭିଯୁକ୍ତଙ୍କ ବାଇକ୍ ଜବତ କରିଥିଲା। ପୋଲିସ ମନିପର୍ସ ଓ ବାଇକ୍ର ଆର୍ଟିଆଇ ତଥ୍ୟକୁ ଆଧାର କରି ରାତି ଅଧିଆ ବାଙ୍କତିରା ଗାଁରେ ପହଞ୍ଚି ୩ ଅଭିଯୁକ୍ତଙ୍କୁ ଘରୁ ଉଠାଇ ଆଣିଥିଲା। ସେମାନଙ୍କୁ ପଚରାଉଚରା ପରେ ଶନିବାର କୋର୍ଟ ଚାଲାଣ କରାଯାଇଛି। ସେପଟେ ପୋଲିସ୍ ଗଣଦୁଷ୍କର୍ମର ଶିକାର ହୋଇଥିବା ଛାତ୍ରୀଙ୍କୁ ଡାକ୍ତରୀ ମାଇନା କରାଇଛି।
