ଗଣତନ୍ତ୍ରର ସୁରକ୍ଷାରେ ବୁଥ୍ ସ୍ତରୀୟ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି : ମୁଖ୍ୟ ନିର୍ବାଚନ କମିଶନର
ନୂଆଦିଲ୍ଲୀ/ଭୁୁବନେଶ୍ୱର : ଗଣତନ୍ତ୍ରର ସୁରକ୍ଷା ପାଇଁ ଏହାକୁ ଜନସାଧାରଣ ଓ ନିର୍ବାଚନ ଆୟୋଗ ସହ ସଂଯୋଗ ସ୍ଥାପନ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବୁଥ୍ ସ୍ତରୀୟ ଅଧିକାରୀମାନେ କରିଥାନ୍ତି ବୋଲି ବୁଧବାର ବି.ଏଲ୍ଓ ଇ-ପତ୍ରିକାର ଶୁଭାରମ୍ଭ କରି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ।
ଆଭାସୀ ମାଧ୍ୟମରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିବା ଏହି ବି.ଏଲ୍.ଓ ଇ-ପତ୍ରିକାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଦେଶର ପ୍ରାୟ ୧୦ ଲକ୍ଷ ବୁଥ୍ ସ୍ତରୀୟ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ । ବି.ଏଲ୍.ଓ ଇ-ପତ୍ରିକା କାଗଜ ଶୂନ୍ୟ ମାଗାଜିନ୍ ଓ ଏହା ପ୍ରତ୍ୟେକ ବ୍ୟକ୍ତିଙ୍କ ମୋବାଇଲ୍ ରେ ସହଜରେ ଉପଲବ୍ଧ ହେବ । ବୁଥ୍ ସ୍ତରୀୟ ଅଧିକାରୀମାନେ କର୍ମକ୍ଷେତ୍ରରେ ସମ୍ମୁଖୀନ ହେଉଥିବା ବିିଭିନ୍ନ ପ୍ରକାରର ଅସୁବିଧାଗୁଡ଼ିକର ସହଜ ସମାଧାନ, ଜିଲ୍ଲା, ରାଜ୍ୟ ତଥା ଦେଶର ବିଭିନ୍ନ କୋଣଅନୁକୋଣରେ କାର୍ଯ୍ୟକରୁଥିବା ବୁଥ୍ ସ୍ତରୀୟ ଅଧିକାରୀଙ୍କ ଭାବର ଆଦାନପ୍ରଦାନ ଓ ସର୍ବୋପରି ନିର୍ବାଚନ ଆୟୋଗଙ୍କ ସହ ସିଧାସଳଖ ବାର୍ତ୍ତାଳାପ ହୋଇପାରିବ ବୋଲି ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେ କହିଛନ୍ତି ।
ବି.ଏଲ୍.ଓ ଇ-ପତ୍ରିକା ପ୍ରତି ଦୁଇମାସରେ ଥରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରକାଶିତ ହେବ ଓ ଏଥିରେ ନିର୍ବାଚନ ଆୟୋଗ ତଳସ୍ତରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପାଇଁ ନିର୍ଦ୍ଦେଶନାମା ପଠାଇବା ଓ ତଳସ୍ତରରୁ ଆୟୋଗଙ୍କୁ କାର୍ଯ୍ୟଧାରାର ଫିଡ୍ ବ୍ୟାକ୍ ଓ ସଫଳ କାହାଣୀ ପ୍ରେରଣ ଇତ୍ୟାଦିରେ ବିଶେଷ ସହାୟକ ହୋଇପାରିବ ବୋଲି ନିର୍ବାଚନ କମିଶନର ପ୍ରକାଶ କରିଛନ୍ତି । ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରଥମ କରି ପ୍ରକାଶିତ ହୋଇଥିବା ଇ-ପତ୍ରିକାରେ ଓଡ଼ିଶାର ୭୭-ଲାଞ୍ଜିଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ୨୭୦ ବୁଥ୍ ର ବୁଥ୍ ସ୍ତରୀୟ ଅଧିକାରୀ ସୁକ୍ରୁ ମାଝୀଙ୍କ ସଫଳ କାହାଣୀ ସ୍ଥାନିତ ହୋଇଛି । ବୁଥ୍ ସ୍ତରୀୟ ଅଧିକାରୀ ସୁକ୍ରୁ ମାଝୀ ୨୭୦ ନମ୍ବର ବୁଥ୍ ରେ ତାଙ୍କର ନିରବଚ୍ଛିନ୍ନ ଉଦ୍ୟମ ଯୋଗୁଁ ମହିଳା ଭୋଟର ପଂଜୀକରଣ ହାର ୧୭%ରୁ ୬୭%କୁ ବୃଦ୍ଧି କରିଥିବାରୁ ଜିଲ୍ଲାର ଶ୍ରେଷ୍ଠ ବି.ଏଲ୍.ଓ ଭାବେ ପ୍ରଶଂସିତ ହୋଇଛନ୍ତି ।
ଆଜିର ଏହି ବି.ଏଲ୍.ଓ ଇ-ପତ୍ରିକା ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କ ସମେତ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ୧୦ ଜଣ ଶ୍ରେଷ୍ଠ ବୁଥ୍ ସ୍ତରୀୟ ଅଧିକାରୀ ଯୋଗଦେଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀମତୀ ସଂଘମିତ୍ରା ଶତପଥୀଙ୍କ ସହ ନିର୍ବାଚନ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
