ଟ୍ରଲି ବ୍ୟାଗ୍ ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ଖୋର୍ଦ୍ଧା : ଟ୍ରଲି ବ୍ୟାଗ୍ ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ହରିପୁର ନିକଟ ଜଙ୍ଗଲରେ ଆଜି ଅପରାହ୍ନରେ ଏହି ଟ୍ରଲି ବ୍ୟାଗଟି ପଡିଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ଏ ସମ୍ପର୍କରେ ଜାଣିବା ପରେ ନାଚୁଣୀ ଥାନାକୁ ଖବର ଦେଇଥିଲେ । ଡଗ୍ ସ୍କ୍ୱାଡ୍ ଓ ସାଇଂଟିଫିକ୍ ଟିମ୍ ସହ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି । ଏସପି ସିଦ୍ଧାର୍ଥ କଟାରିଆ ଘଟଣାସ୍ଥଳରେ ପହଂଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ପୋଲିସ ଏହି ଟ୍ରଲି ବ୍ୟାଗ୍ ସହ ଶବ ଜବତ କରି ତଦନ୍ତ ଜାରୀ ରଖିଛି । ତେବେ ଅଦ୍ୟାବଧି ମୃତକଙ୍କ ପରିଚୟ ମିଳିପାରିନାହିଁ । ପୋଲିସ ପକ୍ଷରୁ ଶବ ଚିହ୍ନଟ ପ୍ରକ୍ରିୟା ଜାରୀ ରହିଛି । ଯୁବକଙ୍କୁ ଯୋଜନାବନ୍ଧ ଭାବେ ହତ୍ୟା ପରେ ଶବକୁ ଟ୍ରଲି ବ୍ୟାଗ୍ ରେ ଭର୍ତି କରି ଏଠାରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି ।
