ଆସୁଛି ବୋର୍ଡ ପରୀକ୍ଷା! ଛାତ୍ରଛାତ୍ରୀଙ୍କ ସହ ‘ପରୀକ୍ଷା ପେ ଚର୍ଚ୍ଚା’ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଆଗକୁ ଆସୁଛି ବୋର୍ଡ ପରୀକ୍ଷା। ଏଥିପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନଙ୍କ ସହିତ ‘ପରୀକ୍ଷା ପେ ଚର୍ଚ୍ଚା’ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କରୋନା ଯୋଗୁଁ ଚଳିତବର୍ଷ ମଧ୍ୟ ‘ଭର୍ଚୁଆଲ୍ ମୋଡ’ରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବାର ଜଣାପଡିଛି । ବୋର୍ଡ ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ବାସ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କ ସହିତ ଚର୍ଚ୍ଚା କରିଥାନ୍ତି ଓ ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥାନ୍ତି।
ସୂଚନା ଯେ, ଏ ନେଇ ସମସ୍ତ ରାଜ୍ୟମାନଙ୍କୁ କେନ୍ଦ୍ର ଶିକ୍ଷା ସଚିବ ପତ୍ର ଲେଖିଛନ୍ତି। ପତ୍ରରେ କାର୍ଯ୍ୟକ୍ରମର ମାର୍ଗଦର୍ଶିକା ସଂପର୍କରେ ଅବଗତ କରାଯାଇଛି। କାର୍ଯ୍ୟକ୍ରମ ୨୦୨୨ ଫେବ୍ରୁଆରିରେ ହେବା ପ୍ରସ୍ତାବ ରହିଛି। କରୋନା ମହାମାରୀ ଯୋଗୁ ୨୦୨୧ ଭଳି ୨୦୨୨ର ‘ପରୀକ୍ଷା ପେ ଚର୍ଚ୍ଚା‘ କାର୍ଯ୍ୟକ୍ରମ ‘ଭର୍ଚୁଆଲ୍ ମୋଡ’ରେ ଆୟୋଜିତ ହେବା ସମ୍ଭାବନା ରହିଛି। କାର୍ଯ୍ୟକ୍ରମରେ ନବମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଭାଗ ନେବେ। ଏଥି ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଛି। ଏହା ଜାନୁଆରି ୨୦ ପର୍ଯ୍ୟନ୍ତ ଚାଲିବ। କାର୍ଯ୍ୟକ୍ରମ ପାଇଁ ‘ନୋଡାଲ ଅଫିସର୍’ ନିଯୁକ୍ତି ନିମନ୍ତେ ସମସ୍ତ ରାଜ୍ୟମାନଙ୍କୁ କୁହାଯାଇଛି। ସ୍କୁଲ୍ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଦ୍ବାରା ଏ ନେଇ ସମସ୍ତ ଜିଲାମାନଙ୍କୁ ପତ୍ର ଲେଖାଯାଇଛି। ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ପାଇଁ ଅଭିଭାବକ ଓ ଶିକ୍ଷକମାନଙ୍କ ନିମନ୍ତେ ଅନ୍ଲାଇନ ପ୍ରତିଯୋଗିତା ପରୀକ୍ଷା ମଧ୍ୟ ଆୟୋଜନ କରାଯିବ। ଏଥିରେ ଛାତ୍ରଛାତ୍ରୀଙ୍କ ସହିତ ଅଭିଭାବକ ଓ ଶିକ୍ଷକମାନେ ସାମିଲ ହୋଇପାରିବେ। ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଛାତ୍ରଛାତ୍ରୀମାନଙ୍କ ଚୂଡ଼ାନ୍ତ ଚୟନ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଦ୍ବାରା କରାଯିବ।
