ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ବ୍ଲକ ପରିସରରେ ଗଣଧାରଣା
ନୀଳଗିରି : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀମାନଙ୍କ ତାଲିକା ପ୍ରକାଶନ ପରେ ଉକ୍ତ ତାଲିକାରେ ବହୁ ଯୋଗ୍ୟ ହିତାଧିକାରୀଙ୍କ ନାମ ନ ଥିବା ବେଳେ ବହୁ ଅଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରେ ରହିଅଛି । ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କ ନାମକୁ ଉପଯୁକ୍ତ ତଥା ନିରପେକ୍ଷ ତଦନ୍ତ କରି ସଂଯୋଗ କରିବା ପାଇଁ ନୀଳଗିରି ବିଜେପି ଦଳ ପକ୍ଷରୁ ଶତାଧିକ ହିତାଧିକାରୀ ସମେତ ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ସମେତ ବିଜେପିର ନେତୃମଣ୍ଡଳି ସକାଳ ୧୦ଟା ଠାରୁ ବ୍ଲକ ପରିସରରେ ଗଣାଧାରଣା ରେ ବସିଥିଲେ । ପଂଚାୟତର ଥିବା ପି.ଇ.ଓ. ମାନେ ମନଇଚ୍ଛା ନାମକୁ ତାଲିକାଭୁକ୍ତ କରାଇଥିବା ବେଳେ ପ୍ରକୃତ ହିତାଧିକାରୀମାନଙ୍କ ନାମକୁ ବାଦ୍ ଦେବା ପ୍ରସଙ୍ଗ ବିଧାୟକ ଶ୍ରୀଯୁକ୍ତ ନାୟକ ଗଣଧାରଣା ସ୍ଥଳରେ ପ୍ରକାଶ କରିଛନ୍ତି । ପରେ ଧାରଣା ସ୍ଥଳକୁ ନୀଳଗିରି ବି.ଡି.ଓ. ରାହୁଲ ମଣ୍ଡଳ ପହଂଚି ଧାରଣାକାରୀଙ୍କ ଉପରେ ତଦନ୍ତ କରାଯାଇ ଯଦି ପ୍ରକୃତରେ ଘର ପାଇବାର ଯୋଗ୍ୟ ବିବେଚିତ ହେବେ, ତାଙ୍କ ନାମକୁ ତାଲିକାଭୁକ୍ତ କରାଯାଇ ପର୍ଯ୍ୟାୟକ୍ରମେ ଆବାସ ପ୍ରଦାନ କରାଯିବାର ପ୍ରତିଶୃତି ଦେଇଥିଲେ । ଦଳ ପକ୍ଷରୁ ଏକ ସ୍ମାରକପତ୍ର ନୀଳଗିରି ବି.ଡି.ଓ.ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀକୁ ପ୍ରଦାନ କରାଯାଇଥିଲା । ପରେ ଗଣଧାରଣା ପ୍ରତ୍ୟାହୃତ ହୋଇଥିଲା । ଏହି ଗଣଧାରଣାରେ ଗଙ୍ଗାଧର ମିଶ୍ର, ଉପେନ୍ଦ୍ର ଦାସ, ତାପସ ମହାନ୍ତି, ଉପେନ୍ଦ୍ର ନାୟକ, ଅକ୍ଷୟ କୁମାର ବେହେରା, ପ୍ରଫୁଲ୍ଲ ଦଳାଇ, କୁଳମଣି ନାଏକ, ରାମକୃଷ୍ଣ ମହାପାତ୍ର, ସୁବାଶିଷ ଆଚାର୍ଯ୍ୟ, ପ୍ରମୁଖ ବିଜେପି ନେତୃମଣ୍ଡଳୀ ଉପସ୍ଥିତ ଥିବା ବେଳେ ଶହ ଶହ ହିତାଧିକାରୀ ଧାରଣାରେ ସାମିଲ ଥିଲେ ।
