ନୀଳଗିରିରେ ବ୍ଲକ୍ସ୍ତରୀୟ ଦୁଇ ଦିବସୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଘାଟିତ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅନ୍ତର୍ଗତ ଜାମୁଡ଼ିହା ଅର୍ଜୁନ ଆଚାର୍ଯ୍ୟ ଉଚ୍ଚବିଦ୍ୟାଳୟ ପରିସରରେ ୨୦୨୨-୨୩ ବ୍ଲକସ୍ତରୀୟ ଦୁଇ ଦିବସୀୟ କ୍ରୀଡ଼ା ପ୍ରତିଯୋଗିତା ମଙ୍ଗଳବାର ଉଦ୍ଘାଟିତ ହୋଇଯାଇଛି । ଏଫ୍ଆଇଏଚ୍ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ ୨୦୨୩ ପୂର୍ବରୁ ପ୍ରୋସାହିତ କରିବା ଉଦ୍ଦେଶ୍ୟରେ ଏହି କ୍ରୀଡ଼ା ଆୟୋଜନ କରାଯାଇଛି । ଉପସ୍ଥିତ ସମସ୍ତ ଅତିଥିମାନଙ୍କୁ ଛାତ୍ରୀଛାତ୍ରମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ ।
କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୀଳଗିରି ବିଧାୟକ ସୁକାନ୍ତ ନାୟକ ଯୋଗଦେଇ ପ୍ରଦୀପ ପ୍ରଜଳ୍ୱନ, ପତାକା ଉତ୍ତୋଳନ ଓ କ୍ରୀଡ଼ାର ଶୁଭାରମ୍ଭ କରିବା ସହ କ୍ରୀଡ଼ା ମହୋତ୍ସବ ହିଁ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ଗୁଣକୁ ପରିପ୍ରକାଶ କରିଥାଏ ବୋଲି ପ୍ରକାଶ କରିଥିଲେ । ମଞ୍ଚରେ ବ୍ଲକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ବେଳେ ନୀଳଗିରି ବିଇଓ ସ୍ନିଗ୍ଧା ପଣ୍ଡା ସଭାପତିତ୍ୱ କରିଥିଲେ । ଆୟୋଜିତ ସଭାରେ ଅତିଥିଙ୍କ ପରିଚୟ ପ୍ରଦାନ ରୂପକ କୁମାର ପସା ଓ ବାର୍ଷିକ ବିବରଣୀ ପଠନ କରିଥିଲେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଯୋଗେନ୍ଦ୍ର ସେଠୀ । ସମ୍ମାନିତ ଅତିଥି ଭାବେ ଜିଲା ଇନିସ୍ପେକ୍ଟର ଓଫ ଫିଜିକାଲ ଏଜୁକେସନର ଅଶୋକ କୁମାର ନାୟକ, ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ଜେନା ଓ ଅର୍ଜୁନ ଆଚାର୍ଯ୍ୟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ପାତ୍ର ନିଜ ନିଜର ବକ୍ତବ୍ୟ ରଖିବା ସହ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରତିଯୋଗୀତାରେ ନୀଳଗିରି ବ୍ଲକର ୯୪ଟି ଉଚ୍ଚ ବିଦ୍ୟାଳୟରୁ ୧୨ବର୍ଷରୁ କମ୍ ୧୧୫ପିଲା ଓ ୧୭ବର୍ଷରୁ କମ ୧୭୨ପିଲା ମୋଟ ୨୮୭ ଟି ପିଲା ଅଂଶଗ୍ରହଣ କରି ଦିନ ତମାମ ସେମାନଙ୍କ କ୍ରୀଡ଼ା ନୈପୁଣ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ଅର୍ଜୁନ ଆଚ୍ଚାର୍ଯ୍ୟ ଉଚ୍ଚବିଦ୍ୟାଳୟ ସହିତ ଅନ୍ୟ ବିଦ୍ୟାଳୟରୁ ଆସିଥିବା ସମସ୍ତ ଶିକ୍ଷକ ଶିକ୍ଷତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।
