ଔପଦାରେ ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର
ଔପଦା : ଔପଦାରେ ବ୍ଲକସ୍ତରୀୟ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ବ୍ଲକ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଶିବିରରେ ଜିଲା ଅତିରିକ୍ତ (ପ୍ରଶାସକ)ନିର୍ବାହୀ ଅଧିକାରୀ ରବୀନ୍ଦ୍ର କୁମାର ମଲ୍ଲିକ ଯୋଜନାର ସମୀକ୍ଷା କରିଥିବା ବେଳେ ବିଡିଓ ଅଭିଷେକ ଦାଶ ଉତ୍ତର ଦେଇଥିଲେ ।
ମନରେଗା ଯୋଜନାର ବ୍ଲକ ପ୍ରୋଗ୍ରାମ ଅଧିକାରୀ ଜ୍ୟୋତିପ୍ରସନ୍ନ ପୃଷ୍ଟି ପରିଚାଳନା କରିଥିବା ବେଳେ ବ୍ଲକ ଉପାଧ୍ୟକ୍ଷ ପ୍ରଭାକର ସାହୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ପପୁ ଭୂୟାଁ ଉପସ୍ଥିତ ଥିଲେ । ସରକାରଙ୍କର ଏହା ଏକ ବଡ଼ ଯୋଜନା ହୋଇଥିବାରୁ କାମ କରିବା ପୂର୍ବରୁ ସୂଚନା ଫଳକ ଲାଗିବା ପାଇଁ କୁହାଯାଇଥିଲା । ବ୍ଲକସ୍ତରୀୟ ଥିବା ବିଭିନ୍ନ ପଞ୍ଚାୟତରେ ଏହି ଯୋଜନାର କାର୍ଯ୍ୟକାରିତାକୁ ନେଇ ସମୀକ୍ଷା କରାଯାଇଥିଲା । ବ୍ଲକସ୍ତରୀୟ ଥିବା ୧୪୧୦୦ ଜବକାର୍ଡ଼ଧାରୀଙ୍କ ମଧ୍ୟରୁ ୬୬୪୬ ଜଣ ଜବକାର୍ଡ଼ଧାରୀ କାର୍ଯ୍ୟକ୍ଷମ ଥିବା ବେଳେ ଶିବିରରେ କମ ସଂଖ୍ୟାରେ ଜବକାର୍ଡ଼ଧାରୀ ଉପସ୍ଥିତ ଥିବା ଦେଖାଯାଇଥିଲା । ବ୍ଲକ ଅତିରିକ୍ତ ମନରେଗା ସଂଯୋଜକ ପ୍ରମୋଦ କୁମାର ମହାପାତ୍ର ଉପସ୍ଥିତ ଥିବାବେଳେ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟାସଭ୍ୟ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜିଆର୍ଏସ୍ମାନେ ଭାଗ ନେଇଥିଲେ ।
