ବ୍ଲକସ୍ତରୀୟ ଭିମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିିବିରରେ ରାତି ୯ଟା ପର୍ଯ୍ୟନ୍ତ ରୋଗୀଙ୍କ ଭିଡ଼
ନୀଳଗିରି : ନୀଳଗିରି ବ୍ଲକ ପରିସରରେ ବ୍ଲକସ୍ତରୀୟ ଭିମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ନୀଳଗିରି ବିଡିଓ ରାହୁଳ ମଣ୍ଡଳଙ୍କ ନେତୃତ୍ୱ ନେଇଥିଲେ । ଏହି ଶିବିରରେ ନୀଳଗିରି ବ୍ଲକର ୨୫ଗୋଟି ପଂଚାୟତ, ନୀଳଗିରି ଏନ.ଏ.ସି ର ଶତାଧିକ ଲୋକଙ୍କ ସମାଗମ ପରିଲକ୍ଷିତ ହୋଇଅଛି । ବିଭିନ୍ନ ବିଭାଗର ଡାକ୍ତରମାନେ ଉପସ୍ଥିତ ଥିବା ବେଳେ ଲୋକମାନଙ୍କ ପାଇଁ ବ୍ଲକ ପକ୍ଷରୁ ଖାଇବାର ବ୍ୟବସ୍ଥା କରାଯାଇଥିଲା । ଆଜିର ଏହି ଭିନ୍ନକ୍ଷମ ଶିବିରରେ ମୋଟ ୧୨୬୯ ଜଣ ରୋଗୀ ପଞ୍ଜିକରଣ କରିଥିବା ବେଳେ ଅସ୍ଥିଶଲ୍ୟରେ ୫୮୪ଜଣ , ଚକ୍ଷୁରେ ୧୩୭ଜଣ, ମାନସିକ ଅନଗ୍ରସର ୨୮୦, ନାସା କର୍ଣ୍ଣରେ ୨୬୮ଜଣ ରୋଗୀ ପଞ୍ଜିକରଣ ରୋଗୀ ପଞ୍ଜିକରଣ କରିଥିଲେ । ଅପରାହ୍ନ ୪ଟା ସୁଦ୍ଧା ବିଭିନ୍ନ ବିଭାଗର ଡାକ୍ତର ପଳାଇ ଯାଇଥିବା ବେଳେ ଅସ୍ଥିଶଲ୍ୟ ବିଭାଗର ଡା. ନିର୍ମାଲ୍ୟ ମହାପାତ୍ର ସକାଳ ୧୦ଟା ଠାରୁ ରୋଗୀ ଦେଖି ଆସୁଥିବା ବେଳେ ରାତି ପ୍ରାୟ ୯ଟା ପର୍ଯ୍ୟନ୍ତ ତାଙ୍କ ବିଭାଗରେ ପାଖାପାଖି ୧୦୦ରୁ ୧୫୦ ରୋଗୀ ଲାଇନରେ ଠିଆ ହୋଇଥିବା ଦେଖିବାକୁ ମିଳିଛି । ଅସ୍ଥିଶଲ୍ୟ ବିଭାଗର ଡା. ନିର୍ମାଲ୍ୟ ମହାପାତ୍ର ଙ୍କର କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି । ବୁଢ଼ା, ବୁଢ଼ି, ଝିଅ, ବୋହୁ, ପିଲା, ଯୁବକମାନେ ରାତି ପର୍ଯ୍ୟନ୍ତ ଲାଇନରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା । ଭିନ୍ନକ୍ଷମମାନଙ୍କ ପାଇଁ କେବଳ ୫ଟି ହୁଇଲଚେୟାର ର ବ୍ୟବସ୍ଥା ଥିବା ବେଳେ ବହୁ ଭିନ୍ନକ୍ଷମଙ୍କୁ ସଂପର୍କୀୟମାନେ କିଏ କାନ୍ଧେଇ ତ କିଏ କାଖେଇ ଡାକ୍ତରଙ୍କ ପାଖକୁ ଯାଇଥିବା ଦେଖିବାକୁ ମିଳିଛି । ଏତେ ସଂଖ୍ୟକ ଅସଥଶଲ୍ୟ ରୋଗୀ ରହିଥିବା ବେଳେ ଜଣେ ଡାକ୍ତରଙ୍କ ପକ୍ଷେ ଦେଖିବା କଷ୍ଟସାଧ୍ୟ ଦୃଷ୍ଟିରୁ ଅନ୍ୟ ଏକ ଅସ୍ଥିଶଲ୍ୟ ବିଭାଗର ଡାକ୍ତରଙ୍କୁ ଆଣିବା ଜରୁରି ଥିଲା ବୋଲି ରୋଗୀମାନେ ଦାବୀ କରିଥିଲେ । ଡାକ୍ତରଙ୍କ ଅନୁପସ୍ଥିତିରେ କିଛି ରୋଗୀ ଦେଖାଇ ନ ପାରି ଘରକୁ ଫେରିଯାଇଥିବା ଶୁଣିାବାକୁ ମିଳୁଛି ।
