ବିଜେପିର ସତ୍ୟାଗ୍ରହକୁ ବିଜେଡି କଂଗ୍ରେସର ଟାର୍ଗେଟ୍
ଭୁବନେଶ୍ୱର : ୨୬ ତାରିଖରେ ବିଜେପିର ସତ୍ୟାଗ୍ରହକୁ ନେଇ ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି, ରାଜନୈତିକ ଦଳ ଭାବେ ବିଜେପି ତାର କାର୍ଯ୍ୟକ୍ରମ କରିପାରେ । ହେଲେ ଅଭିଯୋଗ ଆଣିବା ଆଧାରରେ ବିଜେପି କେବଳ ଅଭିଯୋଗ କରୁଛି । ୟୁପିରେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ପୁଅ କଣ କଲେ ତାହା ସମସ୍ତେ ଜାଣନ୍ତି । ସେ ଆହୁରି କହିଛନ୍ତି, ବିଜୁ ଜନତା ଦଳ ଗୋଟେ ରାଜନୈତିକ ଦଳ ହୋଇ ରହି ନାହିଁ, ବରଂ ବିଜେଡି ଜନତାଙ୍କ ଉତଥାନ ପାଇଁ ଓ ଓଡ଼ିଶାର ଉତଥାନ ପାଇଁ ଏକ ଆନ୍ଦୋଳନରେ ପରିଣତ ହୋଇଛି । ଏହି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ବିଜେଡି ଏବଂ ବିଜେପିର ଭିତିରି ବୁଝାମଣା ରହିଛି । ସେମାନଙ୍କ ଘନିଷ୍ଠତା ଅପୂର୍ବ । ଲୋକସଭାରେ ଅନେକ ବିଲକୁ ସମର୍ଥନ କରିଛି ବିଜେଡି । ସେମାନଙ୍କ ମଧ୍ୟରେ ଭାଇ ଭାଇର ସମ୍ପର୍କ । ପ୍ରତିବାଦ କେବଳ ଅଭିନୟ । କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଜାରି ରହିଛି ଏବଂ କଂଗ୍ରେସ ଆସନ୍ତା ୨୮ ତାରିଖରେ ପ୍ରତିଷ୍ଠା ଦିବସ ପାଳନ କରୁଛି । ସଂଗଠନକୁ ସୁଦୃଢ କରିବା ପାଇଁ କଂଗ୍ରେସ ପଛେଇ ନାହିଁ । ଉଲ୍ଲେଖଯୋଗ୍ୟ, ମହିଳା ବିରୋଧୀ, ନାରୀ ନିର୍ଯାତନା ଓ ବିଜେଡି ରାଜନୀତିକୁ ଅପରାଧୀକରଣ କରୁଥିବା ପ୍ରତିବାଦରେ ବିଜେପି ପକ୍ଷରୁ ଆସନ୍ତା ୨୬ ତାରିଖରେ ସବୁ ମଣ୍ଡଳରେ ମହାପୁରୁଷମାନଙ୍କ ପ୍ରତିମୂର୍ତି ତଳେ ୪ ଘଂଟିଆ ସତ୍ୟାଗ୍ରହ କରାଯିବ ।
