ୟୁପିରେ ବିଜେପିକୁ ପୁଣି ଝଟ୍କା: ଏସପିରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ଦାରା ସିଂ ଚୌହାନ
ଲକ୍ଷ୍ନୌ : ଯୋଗୀ ଆଦିତ୍ୟନାଥ କ୍ୟାବିନେଟର ପୂର୍ବତନ ମନ୍ତ୍ରୀ ଦାରା ସିଂ ଚୌହାନ ରବିବାର ଦିନ ସମାଜବାଦୀ ପାର୍ଟିରେ ଏହାର ଜାତୀୟ ସଭାପତି ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ଯୋଗ ଦେଇଛନ୍ତି । ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଏବଂ ଧର୍ମ ସିଂ ସାଇନିଙ୍କ ପରେ ଦାରା ସିଂ ଚୌହାନ ହେଉଛନ୍ତି ତୃତୀୟ ମନ୍ତ୍ରୀ ଅଟନ୍ତି; ଯିଏକି ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି) ଛାଡି ଅଖିଳେଶ ଯାଦବଙ୍କ ନେତୃତ୍ୱାଧୀନ ସମାଜବାଦୀ ପାର୍ଟି (ସପା)ରେ ଯୋଗ ଦେଇଛନ୍ତି ।
୨୦୧୭ରେ ବିଜେପି ସରକାର ‘ସବକା ସାଥ, ସବକା ବିକାଶ’ର ସ୍ଲୋଗାନ ଦେଇ ସମସ୍ତଙ୍କ ଠାରୁ ସମର୍ଥନ ନେଇଥିଲା । କିନ୍ତୁ ଦଳ କେବଳ ମାତ୍ର ଅଳ୍ପ କିଛି ଲୋକଙ୍କ ବିକାଶ ପାଇଁ କାମ କରିଥିଲା ବୋଲି ଚୌହାନ ଏସପିରେ ଯୋଗଦେବା ପରେ କହିଛନ୍ତି । ଲକ୍ଷ୍ନୌର ମଧୁବନ ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ଆହୁରି ଦାବି କରିଛନ୍ତି ଯେ କେବଳ ପଛୁଆ ବର୍ଗ ଏବଂ ଦଳିତମାନେ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୁଷ୍ଟ ନୁହଁନ୍ତି, ବ୍ରାହ୍ମଣମାନେ ମଧ୍ୟ ଏଠାରେ ବିଜେପି ସରକାରରେ ସନ୍ତୁଷ୍ଟ ନୁହଁନ୍ତି । ଅନ୍ୟପକ୍ଷରେ ଏସପି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି, ମୁଁ ଦାରା ସିଂ ଚୌହାନ ଏବଂ ତାଙ୍କ ସମର୍ଥକମାନଙ୍କୁ ସ୍ୱାଗତ କରୁଛି ଯେଉଁମାନେ ବହୁ ସଂଖ୍ୟାରେ ଆସିଛନ୍ତି । ସୂଚନା ଯେ, ଏହା ପୂର୍ବରୁ ଜାନୁଆରି ୧୪ରେ ଉତରପ୍ରଦେଶର ପୂର୍ବତନ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଏବଂ ଧର୍ମ ସିଂ ସାଇନି, ଯୋଗୀ ଆଦିତ୍ୟନାଥ ସରକାରରୁ ଇସ୍ତଫା ଦେଇ ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲେ ।
