ବିଜେପି ଉଠାଇଲା ଆବାସ ଦୁର୍ନୀତି ପ୍ରସଙ୍ଗ, ଗାନ୍ଧୀ ମୂର୍ତ୍ତି ତଳେ ସଦସ୍ୟଙ୍କ ଧାରଣା
- ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ପ୍ରସଙ୍ଗ
- ଗୃହ ବାହାରେ ବିଜେପି ସଦସ୍ୟଙ୍କ ପ୍ରତିବାଦ
ଭୁୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଘର ଦିଆ ନ ଯାଇ ଦଳୀୟ ଆଧାରରେ ଘର ଦିଆ ଯାଉଛି । ଯୋଗ୍ୟ ହିତାଧିକାରୀ ମାନଙ୍କୁ ବାଦ ଦିଆ ଯାଉଛି । ଏ ସମ୍ପର୍କରେ ଏକ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି । କେନ୍ଦ୍ର ସରକାରଙ୍କ ଜାଂଚ ପରେ ଦୋଷୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖାଗଲେ ସୁଦ୍ଧା ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉ ନାହିଁ । ଏହା କହିଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ । ତେବେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ତାଙ୍କୁ ଅଧିକ କହିବାକୁ ସୁଯୋଗ ନ ଦେବାରୁ ବିଜେପି ବିଧାୟକ ମାନେ ହଟ୍ଟଗୋଳ କରିଥିଲେ । ପରେ ସେମାନେ ଏହି ମାମଲାରେ କକ୍ଷତ୍ୟାଗ କରି ଗାନ୍ଧୀଜୀଙ୍କ ପ୍ରତିମୂର୍ତି ଆଗରେ ଧାରଣା ଦେବାର ଦେଖା ଯାଇଥିଲା ।
ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଥିଲେ ମୋହନ ମାଝୀ । ସେ କହିଥିଲେ ଯେ ବିରୋଧୀ ଦଳର ନେତା ତଥା ଉପନେତାଙ୍କ ତରଫରୁ ସେ ଏହି ଗୁରୁତ୍ୱପୂର୍ଣ ପ୍ରସଙ୍ଗ ଉଠାଉଛନ୍ତି । ତେଣୁ ତାଙ୍କୁ କିଛି ସମୟ ଅଧ୍ଖଳ ଦେବାକୁ ସେ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ । ଶ୍ରୀ ମାଝୀ କହିଥିଲେ ଯେ ଓଡିଶାରେ କେନ୍ଦ୍ରୀୟ ଯୋଜନା ଗୁଡିକ ଠିକ ଭାବେ କାମ କରୁ ନାହିଁ । କେନ୍ଦ୍ର ଯୋଜନା ଗୁଡିକୁ ନିଜର ବୋଲି ପ୍ରଚାରିତ କରି ରାଜ୍ୟ ସରକାର ଲୋକ ମାନଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି । ଶ୍ରୀ ମାଝୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ୨୦୨୨ ସୁଦ୍ଧା ସମସ୍ତଙ୍କ ପାଇଁ ଘର ଯୋଜନାରେ କାମ କରୁଛନ୍ତି । ହେଲେ ଓଡିଶାରେ ଗରୀବ ଲୋକ ମାନେ ଯାହାଙ୍କ ପାଉଁ ଏହି ଯୋଜନା ଉଦ୍ଦିଷ୍ଟ ତାଙ୍କ ବଦଳରେ ଶାସକ ଦଳର ଧନୀ ଲୋକଙ୍କୁ ଘର ଦିଆ ଯାଉଛି । ଏଥିରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଛି । ତେଣୁ କେନ୍ଦ୍ର ସରକାରଙ୍କୁ ଏ ସମ୍ପର୍କରେ ଅଭିଯୋଗ କରା ଯିବା ପରେ କେନ୍ଦ୍ର ସରକାରଙ୍କ ଟିମ ଜାଂଚ ପାଇଁ ଆସିଥିଲା ଓ ଅନେକ ସ୍ଥାନରେ ଦୁର୍ନୀତି ହୋଇଥିବା ପ୍ରମାଣ ପାଇଥିଲା । ଏହା ପରେ ଏ ବାବଦରେ ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପତ୍ର ମଧ୍ୟ ଲେଖିଥିଲା । ହେଲେ ରାଜ୍ୟ ସରକାର କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ଅନ୍ୟ ପଟେ ବାଚସ୍ପତି ଶ୍ରୀ ପାତ୍ର କହିଥିଲେ ଯେ ଅନ୍ୟ ମାନଙ୍କର ମଧ୍ୟ ଶୂନ୍ୟକାଳରେ କହିବାର ଅଛି । ଏଥିରେ ମୋହନ ମାଝୀ ଅସନ୍ତୋଷ ବ୍ୟକ୍ତ କରି କହିଥିଲେ ଯେ ମୁଖ୍ୟ ବିରୋଧୀ ଦଳକୁ କହିବାର ସୁଯୋଗ ଦିଆ ଯାଉ ନାହିଁ । ଏହା ଅତ୍ୟନ୍ତ ଦୁଖଦ । ଏହା କହିବା ପରେ ବିଜେପି ବିଧାୟକ ମାନେ ଗୃହର ମଧ୍ୟ ଭାଗକୁ ଆସି ନାରାବାଜୀ କରିଥିଲେ । ଏହା ପରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଓ ବିଜେଡି ବିଧାୟକ ଅମର ପ୍ରସାଦ ସତପଥୀ ମଧ୍ୟ ହଟ୍ଟଗୋଳ ମଧ୍ୟରେ କହିଥିଲେ । ଗୃହର ସୁପରିଚାଳନା କରିବା ପାଇଁ ବାଚସ୍ପତି ଶ୍ରୀ ପାତ୍ର ଗୃହକୁ ସ୍ଥଗିତ କରିବା ସହ ତାଙ୍କ ପ୍ରକୋଷ୍ଠରେ ସର୍ବଦଳୀୟ ବୈଠକ ଡାକିଥିଲେ ।
