ବିଜେଡିର ପୌର ନିର୍ବାଚନ ପ୍ରସ୍ତୁତି : ଦଳୀୟ ନେତାଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ
ପଂଚାୟତ ନିର୍ବାଚନରେ ସଫଳତା ଗଣତାନ୍ତ୍ରିକ ଇତିହାସରେ ଅଭୂତପୂର୍ବ
ବିଜୟ ପାଇଁ ଓଡ଼ିଶା ବାସୀ ଓ ଦଳୀୟ କର୍ମୀଙ୍କୁ ଧନ୍ୟବାଦ ଜଣାଇଲେ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ବୁଧବାର ଆସନ୍ତା ପୌର ନିର୍ବାଚନର ପ୍ରସ୍ତୁତି ନେଇ ଦଳର ଏମ୍.ପି. ଏମ.ଏଲ.ଏ , ଜିଲା ସଭାପତି ଓ ପର୍ଯ୍ୟବେକ୍ଷକ ମାନଙ୍କ ସହ ଭର୍ଚୁଆଲ ମାଧ୍ୟମରେ କଥା ହୋଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗତ ପଂଚାୟତ ନିର୍ବାଚନରେ ଦଳର ବିପୁଳ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଓଡ଼ିଶା ବାସୀ ତଥା ଦଳର କର୍ମୀ ସମସ୍ତ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପଂଚାୟତ ନିର୍ବାଚନରେ, ଆମର ଏହି ଅସାଧାରଣ ଓ ଅଭୂତପୂର୍ବ ସଫଳତା ପାଇଁ, ମୁଁ ସବୁ ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଉଛି । ଓଡିଶାବାସୀ ପୁଣିଥରେ, ଆମ କାମ ଉପରେ, ଆସ୍ଥା ପ୍ରକାଶ କରିଛନ୍ତି । ଏହି ବିଜୟ, ଗଣତାନ୍ତ୍ରିକ ନିର୍ବାଚନରେ ନୂଆ ରେକର୍ଡ ସୃଷ୍ଟି କରିଛି । ପଶ୍ଚିମରୁ ଉପକୂଳ, ଉତରରୁ ଦକ୍ଷିଣ, ଓଡିଶାର, ସବୁ ଅଂଚଳର ଜନସାଧାରଣ, ଏହି ନିର୍ବାଚନରେ ସମାନ ଭାବରେ ବିଜୁ ଜନତା ଦଳକୁ ଆଶୀର୍ବାଦ କରିଛନ୍ତି । ଏହି ଆଶୀର୍ବାଦ ଓ ସ୍ନେହ ଆମକୁ ଆହୁରି କଠିନ ପରିଶ୍ରମ କରିବାକୁ ପ୍ରେରଣା ଦେଉଛି ।ଏଥିସହ ମୁଖ୍ୟମନ୍ତ୍ରୀ କର୍ମୀ ଓ ଶୁଭେଚ୍ଛୁ ମାନଙ୍କୁ ଧନ୍ୟବାଦ ଦେଇଛନ୍ତି ଯେଉଁମାନେ ରାତିଦିନ ଏକ କରି କାମ କରି ନିଜର ସବୁ ସୁଖ ସୁବିଧା ତ୍ୟାଗ କରି ଆମ ସରକାରଙ୍କ ନୀତି ଓ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଂଚାଉଛନ୍ତି । ଆଗାମୀ ପୌର ନିର୍ବାଚନ ସମୟରେ ମଧ୍ୟ ବିରୋଧୀ ଦଳଙ୍କର ଅପପ୍ରଚାର ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପଂଚାୟତ ନିର୍ବାଚନରେ ବିରୋଧୀ ଦଳ କେତେ ଅପପ୍ରଚାର କରିଛନ୍ତି । ମୋ ସରକାରକୁ ବଦନାମ କରିବା ପାଇଁ ମିଛ କାହାଣୀ କହିଛନ୍ତି । କିନ୍ତୁ ଓଡିଶାବାସୀ ସେମାନଙ୍କ କଥାକୁ ଗୁରୁତ୍ୱ ଦେଇନାହାନ୍ତି । ଆଗାମୀ ପୌର ନିର୍ବାଚନରେ ମଧ୍ୟ ସେମାନେ ପୁଣିଥରେ ସେହିଭଳି ଅପପ୍ରଚାର କରିବେ । ଲୋକଙ୍କ ଆଗରେ ବିରୋଧୀ ଦଳଙ୍କ ଅପପ୍ରଚାରର ମୁଖା ଖୋଲିବା ହେଉଛି ଆମ ଦଳର ପ୍ରତି କର୍ମୀ ଭାଇଭଉଣୀ ମାନଙ୍କର ଦାୟିତ୍ୱ । ଓଡିଶାବାସୀ ନକରାତ୍ମକ ରାଜନୀତିକୁ କେବେ ବି ଗ୍ରହଣ କରିବେ ନାହିଁ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହିସବୁ କାର୍ଯ୍ୟକ୍ରମକୁ ଆମକୁ ଲୋକଙ୍କ ପାଖକୁ ନେଇଯିବାକୁ ହେବ । ବିରୋଧୀ ଦଳଙ୍କର ମିଛ ତଥା ନେଗେଟିଭ୍ ପଲିଟିକ୍ସକୁ ଆମର ସକରାତ୍ମକ ତଥା ସତ୍ ଉଦ୍ୟମ ଜରିଆରେ ହିଁ ମୁକାବିଲା କରିବାକୁ ପଡିବ । ମୋର ପୁରା ବିଶ୍ୱାସ, ଏହି ପଂଚାୟତ ନିର୍ବାଚନରେ ଆପଣମାନେ ଯେପରି କଠିନ ପରିଶ୍ରମ କରିଥିଲେ, ପୌର ନିର୍ବାଚନରେ ମଧ୍ୟ ସେହିପରି ଉଦ୍ୟମ ଜାରି ରଖିବେ । ଆମେ ପୁଣି ଥରେ ଲୋକଙ୍କ ଆସ୍ଥା ଓ ଆଶୀର୍ବାଦ ଲାଭ କରିପାରିବା ଏବଂ ବିରୋଧୀ ଦଳଙ୍କୁ ଦେଖାଇ ଦେବା ମିଛ ଓ ଛଳନାର ରାଜନୀତି ଓଡିଶାରେ କାମ କରିବ ନାହିଁ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜନୀତିର ଅର୍ଥ କେବଳ କ୍ଷମତା ନୁହେଁ । ଗୋଟିଏ ଗଣତନ୍ତ୍ରରେ ଲୋକମାନେ ହିଁ ହେଉଛନ୍ତି, କ୍ଷମତାର ସ୍ରୋତ । ରାଜ୍ୟର ସବୁଠାରୁ ଦୁର୍ଗମ ଅଂଚଳରେ ରହୁଥିବା ସାଧାରଣ ଲୋକଟିର ବିଶ୍ୱାସ ହେବା ଦରକାର ଯେ ବିଜୁ ଜନତା ଦଳ ସବୁବେଳେ ତାର କଲ୍ୟାଣ ଏବଂ ତାର ସଶକ୍ତିକରଣ ପାଇଁ କାମ କରୁଛି । ଏହି ବାର୍ତାକୁ ଲୋକମାନଙ୍କ ପାଖରେ ପହଂଚାଇବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ପରିଶେଷରେ ଏହି ଅଭୂତପୂର୍ବ ଜନାଦେଶ ପାଇଁ ଓଡିଶାର ଜନସାଧାରଣଙ୍କୁ ଓ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ପୁଣି ଥରେ ଧନ୍ୟବାଦ ଜଣାଇଥିଲେ ।
