ବିଜେଡ଼ି ଓ ବିଜେପି ଧାମନଗର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରୁଛନ୍ତି : କଂଗ୍ରେସ
ଭୁବନେଶ୍ୱର : ଆଜି ପ୍ରଦେଶ କଂଗ୍ରେସ କମିଟିର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରି ଧାମନଗର ଉପନିର୍ବାଚନରେ ଭୋଟରଙ୍କୁ ହାତେଇବା ବିଜେପି ଓ ବିଜେଡ଼ି ଅସାଧୁ ଓ ଅନୈତିକ ପନ୍ଥା ଅବଲମ୍ବନ କରୁଛନ୍ତି ବୋଲି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । କଂଗ୍ରେସ ପ୍ରାର୍ଥୀ ଏବଂ ଦଳ ସେଠାରେ ନିର୍ବାଚନ କମିଶନରଙ୍କ ନିର୍ଦ୍ଧାରିତ ଆଇନ ଓ ବ୍ୟବସ୍ଥା ଅନୁଯାୟୀ ନିର୍ବାଚନ ପ୍ରଚାର କାର୍ଯ୍ୟ କରୁଛନ୍ତି । ମାତ୍ର ଏ ଦୁଇଟି ଶାସକ ଦଳ ନିର୍ବାଚନ ବ୍ୟବସ୍ଥା, ନୀତି ଓ ନିର୍ଦ୍ଦେଶକୁ ସଂପୂର୍ଣ୍ଣ ଉଲ୍ଲଙ୍ଘନ କରିଛନ୍ତି । ଭୋଟ ପାଇବାପାଇଁ ବିଜେଡ଼ି ଦଳୀୟ ବୈଠକରେ ଟଙ୍କା ବାଂଟୁ ଥିବାର ପ୍ରମାଣ ପ୍ରକଟିତ ହେଲା । ବିଜେପିର କେନ୍ଦ୍ର ମନ୍ତ୍ରୀମାନେ ମଧ୍ୟ ଭୋଟରମାନଙ୍କୁ ନାନା ପ୍ରଲୋଭନ ଓ ଫାଇଦା ଦେବା ସଂପର୍କରେ ପ୍ରଚାର କରୁଛନ୍ତି । ବିଜେପି ନେତାମାନେ ମଧ୍ୟ ସେମାନଙ୍କର କର୍ମୀମାନଙ୍କ ମଧ୍ୟରେ ଟଙ୍କା ଏବଂ ବିଭିନ୍ନ ଲୋଭନିୟ ଜିନିଷ ବାଂଟିବାରେ ଲାଗିପଡ଼ିଛନ୍ତି ।
ସେଠାରେ କିପରି ଭୋଟରମାନେ ଭୟଭିତ ନହୋଇ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ନିଜର ମତଦାନ ଦେଇପାରିବେ ସେଥିପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି । ଏହି ପ୍ରତିନିଧି ଦଳରେ ପ୍ରଦେଶ କଂଗ୍ରେସ ଲିଗାର କ୍ୟୁଇକ ଆକସନ କମିଟିର ଅଧ୍ୟକ୍ଷ ଶିବାନନ୍ଦ ରାୟ, ପଂଚାନନ କାନୁନଗୋ, ନିଶିକାନ୍ତ ମିଶ୍ର, ବିଭୁତି ମିଶ୍ର, ମିତ୍ରଭାନୁ ମହାପାତ୍ର, ମନୋଜ ନାନୟକ, ଦେବାଶିଷ ମହାପାତ୍ର, ହଳଧର ସେଠୀ, ନିରୁପମା ପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
