ବିଜେଡିର ମିଶ୍ରଣ ପର୍ବ : ୩ ଶହରୁ ଉର୍ଦ୍ଧ୍ୱ ଛାତ୍ର ନେତାଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ କଲେ ବିଧାୟକ
ବାଲେଶ୍ୱର : ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରଗରମ ହୋଇଛି ରାଜନୀତି । ଏହାରି ମଧ୍ୟରେ ଆଜି ବିଜେଡ଼ିରେ ଯୋଗଦେଇଛନ୍ତି ୩ ଶହରୁ ଉର୍ଦ୍ଧ ଛାତ୍ର ନେତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ ଓ ସ୍ୱଚ୍ଛ ଶାସନରେ ଅନୁପ୍ରାଣିତ ହୋଇ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ବିକାଶକୁ ପ୍ରତି ପଞ୍ଚାୟତରେ ପହଞ୍ଚାଇବା ଲକ୍ଷରେ ବାଲେଶ୍ୱର ଜିଲାରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ନିର୍ବାଚନ ମଣ୍ଡଳୀ ତରଫରୁ ସ୍ଥାନୀୟ ସିଦ୍ଧି କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ବିଧାୟକ ସ୍ୱରୂପ କୁମାର ଦାସ ନେତୃତ୍ୱ ନେଇଥିଲେ ।
ଏହି ମିଶ୍ରଣ ପର୍ବରେ ଗତ ବାଲେଶ୍ୱର ଉପ ନିର୍ବାଚନରେ ଲଢ଼ିଥିବା ସ୍ୱାଧୀନ ପ୍ରାର୍ଥୀ ଭାଗ୍ୟଉଦିତ ଦାସ ପଟ୍ଟନାୟକ, ଛାତ୍ର ନେତା ବିଭୁ ଦତ୍ତ ପରିଡ଼ା, ସଂଜୀବ ହୈଟ, ସମର୍ଜିତ ପାତ୍ର, ପ୍ରଦୋଷ ମହାନ୍ତି, ବିକାଶ ବେହେରା, ବିଶ୍ୱଜିତ ବେହେରା, ସୁଜନ କୁମାର ଜେନା, ଯୋଗେଶ ଦାସ, ଦିବ୍ୟାୟୋତି ମହାନ୍ତି, ଅଜୟ ନାୟକ, ସତ୍ୟ ପ୍ରକାଶ ନାୟକ ଏବଂ ଗତିରାଜ ଜେନାଙ୍କ ସମେତ ବହୁ ଛାତ୍ର ନେତାଙ୍କୁ ବିଧାୟକ ଶ୍ରୀ ଦାସ ଉତ୍ତରୀୟ ପ୍ରଦାନ କରିବା ସହ ବିଧିବଦ୍ଧ ଭାବରେ ବିଜୁ ଜନତା ଦଳରେ ସାମିଲ କରିଛନ୍ତି l ସଭାରେ ଉପସ୍ଥିତ ଥିବା ସଦର ବ୍ଲକ ଚେୟାରମ୍ୟାନ ନାରାୟଣ ପ୍ରଧାନ, ପୌର ଉପ ନଗରପାଳ ମନୋଜ ରାଉତ, ବ୍ଲକ ସଭାପତି ବସନ୍ତ ପଣ୍ଡା, ଜିଲ୍ଲା ବିଜେଡ଼ି ଉପ ସଭାପତି ଗୌରୀ ରାଉତ, ଟାଉନ ମହିଳା ସଭାପତି ମିନା ମହାନ୍ତି, ବ୍ଲକ ଯୁବ ସଭାପତି ଦିଲୀପ ମହାନ୍ତି ପ୍ରମୁଖ ମଞ୍ଚରେ ଉପସ୍ଥିତ ରହି ଛାତ୍ର ନେତାଙ୍କୁ ସ୍ୱାଗତ ଜଣାଇବା ସହ ଆଗାମୀ ଉଭୟ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ତୃଣମୂଳ ସ୍ତରରୁ ସଂଗଠନକୁ ସୁଦୃଢ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ଛାତ୍ର ନେତାଙ୍କୁ ଗୁରୁମନ୍ତ୍ର ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ଯୁବ ନେତା ଶକ୍ତିପଦ ରାୟ, ଟାଉନ ଯୁବ ସଭାପତି ଉମାଶଙ୍କର ତିଆଡ଼ି ପ୍ରମୁଖ ଉପସ୍ଥିତ ଥିଲେ l


