ନୀଳଗିରିରେ ପକ୍ଷୀ ମଡ଼କ, ୪ ପ୍ରଜାତିର ୧୮ରୁ ଅଧିକ ପକ୍ଷୀଙ୍କ ମୃତ୍ୟୁ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ଜାମୁଡ଼ିହା ଗାଁରେ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ମୃତ୍ୟୁ । ୪ ପ୍ରଜାତିର ୧୮ରୁ ଅଧିକ ପକ୍ଷୀଙ୍କ ମୃତ୍ୟୁ ହୋଇଛି । ଏହି ପକ୍ଷୀଗୁଡ଼ିକ ମଧ୍ୟରେ କୁମ୍ଭାଟୁଆ, ବଣି, ଗୁହକାଳିକା, ଘରଚଟିଆ ପ୍ରଜାତିର ପକ୍ଷୀ ଥିବାର ଜଣାପଡ଼ିଛି । ପକ୍ଷୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଏକାକାଳୀନ ଏତେ ସଂଖ୍ୟକ ପକ୍ଷୀଙ୍କ ମୃତ୍ୟୁକୁ ନେଇ ଚିନ୍ତାରେ ଗ୍ରାମବାସୀ ।
ସୂଚନା ଯେ, ନୀଳଗିରି ବ୍ଲକ ଅଧିନ ଜାମୁଡ଼ିହା ପଞ୍ଚାୟତ ସଅରସାହି ଗ୍ରାମରେ ଶନିବାର ସକାଳେ ଏକ ସିମୁଳି ଗଛ ଉପରୁ ପକ୍ଷୀମାନେ ଅସୁସ୍ଥ ହୋଇ ଗୋଟେ ପରେ ଗୋଟିଏ ପକ୍ଷୀ ମରି ତଳକୁ ଖସିଥିଲେ । ସ୍ଥାନୀୟ ପିଲାମାନେ କୋଳି ଖାଇବାକୁ ଯାଇଥିବା ବେଳେ ପକ୍ଷୀମାନେ ପଡ଼ିଥିବାର ଦେଖି ଗାଁର ବଡ଼ ଲୋକଙ୍କୁ ଜଣାଇଥିଲେ । ଗ୍ରାମବାସୀ ପ୍ରଥମେ କିଛି ବୁଝି ନପାରି ଭୟଭୀତ ହୋଇପଡ଼ିଥିଲେ । କେଉଁ ଅଜଣା ରୋଗ ଯୋଗୁଁ ପକ୍ଷୀ ମଡକ ଘଟିଲା ତାହା ଜଣାପଡିନଥିବା ବେଳେ ଅତ୍ୟଧିକ ଥଣ୍ଡା ଓ ବାର୍ଡ଼ ଫ୍ଲୁ ଦ୍ୱାରା ପକ୍ଷୀ ମରୁଥିବାର ଗାଁ ଲୋକେ ଆଶଙ୍କା କରୁଥିଲେ । ଖବର ପାଇ ନୀଳଗିରି ବନ ବିଭାଗର କର୍ମଚାରୀ ଓ ପଶୁ ଚିକିତ୍ସକ ଘଟଣା ସ୍ଥଳରେ ପହଞ୍ôଚ ପକ୍ଷୀ ଗୁଡ଼ିକ ପରୀକ୍ଷା ନିମନ୍ତେ ନେଇଛନ୍ତି ।
