ସାମ୍ବାଦିକଙ୍କୁ ମାଡ଼ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ
ଯାଜପୁର : ବିଞ୍ଝାରପୁରେ ପଞ୍ଚାୟତ ଭୋଟ ବେଳେ ସାମ୍ବାଦିକମାନଙ୍କୁ ମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାକେଶ ମଳିକକୁ ଗିରଫ କରାଯାଇଛି । ସେହିପରି ଅନ୍ୟ ୨୫ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଛି। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୁଲିସ ଉଦ୍ୟମ ଚଳାଇଛି । ସେପଟେ ପୁଲିସ ଆଇଜି ନରସିଂହ ଭୋଳ ବିଂଝାରପୁର ପହଂଚି ସ୍ଥିତି ସମୀକ୍ଷା କରିଛନ୍ତି । ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ପୁଲିସ ଆଇଜି ଯାଜପୁର ଏସପି ରାହୁଲ ପିଆରଙ୍କ ସହ ଆଲୋଚନା କରି ତୁରନ୍ତ କାର୍ୟ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଯାଜପୁର ବାଛଳ ପଂଚାୟତରୁ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୨୫ ଜଣ ସନ୍ଦିଗ୍ଧ ଲୋକଙ୍କୁ ଗାଁରୁ ପୁଲିସ ଉଠାଇ ଆଣି ଥାନରେ ଅଟକ ରଖି ପଚରା ଉଚରା କରୁଛି । ଘଟଣା ଘଟିଥିବା ଯାଜପୁର ବାଛଳ ପଂଚାୟତର ୨ ନମ୍ବର ଓ ୪ନମ୍ବର ବୁଥ୍ ଥିବା ଗାଁକୁ ଯାଇ ପୋଲିସ ଫ୍ଲାଗମାର୍ଚ୍ଚ କରିଛି । ପାଖାପାଖି ଶହେରୁ ଅଧିକ ପୋଲିସ ଗାଁରେ ପହଂଚି କଡ଼ା ପହରା ଦେବା ସହ ସର୍ଚ୍ଚ ଅପରେସନ୍ କରିଛନ୍ତି । ସୂଚନା ଯେ, ଗତ ରବିବାର ବୁଥ ରିଗିଂ ଖବର ସଂଗ୍ରହ ବେଳେ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ହୋଇଥିଲା । ଏହି ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଥିଲା । ଏ ନେଇ ସାମ୍ବାଦିକ ମାନେ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟିଥିଲେ ।
