ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ବିଲ ଗେଟ୍ସ
ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ବିଲ ଗେଟ୍ସ । ଭାରତରେ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ହେଉଥିବା ନବାଚାର ଓ ସରକାରଙ୍କ କଲ୍ୟାଣକାରୀ ଯୋଜନା ଗୁଡିକ ସାରା ବିଶ୍ୱ ପାଇଁ ପ୍ରେରଣାଦାୟୀ ବୋଲି ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ତଥା ଗେଟସ୍ ଫାଉଣ୍ଡେସନର ମୁଖ୍ୟ ବିଲ ଗେଟ୍ସ କହିଛନ୍ତି । ଭାରତର ବିକାଶ ପାଇଁ ପ୍ରଧାନମନ୍ତ୍ରୀ କରୁଥିବା ବିଭିନ୍ନ କାର୍ଯ୍ୟକୁ ମଧ୍ୟ ସେ ଉଚ୍ଚ ପ୍ରଶଂସା କରିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ ବିଲ ଗେଟ୍ସଙ୍କୁ ସାକ୍ଷାତ କରି ସେ ବେଶ ଆନନ୍ଦିତ । ବିଭିନ୍ନ ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ବିସ୍ତୃତ ଭାବେ ଆଲୋଚନା ହୋଇହେଲା ବୋଲି ଶ୍ରୀ ମୋଦୀ କହିଛନ୍ତି ।
ଅନ୍ୟ ପକ୍ଷରେ ଗେଟ୍ସ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ପରେ ନିଜର ଖୁସି ବ୍ୟକ୍ତ କରିବାକୁ ଯାଇ ଏକ ବ୍ଲଗ ପୋଷ୍ଟ କରିଛନ୍ତି । ଭାରତରେ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ହେଉଥିବା ନବାଚାର ଓ ସରକାରଙ୍କ କଲ୍ୟାଣକାରୀ ଯୋଜନା ଗୁଡିକ ସାରା ବିଶ୍ୱ ପାଇଁ ପ୍ରେରଣାଦାୟୀ ବୋଲି ବିଲ ଗେଟ୍ସ ଉଲ୍ଲେଖ କରିଛନ୍ତି । କୋଭିଡ ଟିକା ପ୍ରସ୍ତୁତି, ଏହାର ବିତରଣ ପାଇଁ କୋୱିନ ପ୍ଲାଟଫର୍ମ ସହିତ କେନ୍ଦ୍ର ସରକାରଙ୍କ ଗତି ଶକ୍ତି ଯୋଜନାକୁ ସେ ଭୂୟସୀ ପ୍ରଶଂସା କରିଛନ୍ତି । ଜଳବାୟୁ ପରିବର୍ତନ ଭଳି ବୈଶ୍ୱିକ ଆହ୍ୱାନର ମୁକାବିଲା କରିବା ପାଇଁ ଭାରତ ଯେଉଁ ଗତିରେ ଅଗ୍ରସର ହେଉଛି ତାକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି ।
