କାର୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ
ଗଞ୍ଜାମ : ଆଜି ସକାଳେ ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ପାଣିଗ୍ରାହୀ ପେଣ୍ଠ ଛକରେ ବାଇକ୍ ପଛରେ ଏକ କାର୍ ଧକ୍କା ଦେବା ଫଳରେ ବାଇକ୍ ଚାଳକ ଜଣକ ରାସ୍ତା କଡ଼କୁ ଛିଟିକି ପଡିଥିଲେ । ଫଳରେ ବାଇକ୍ ଚାଳକଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ଆହତ ରଶ୍ମିରଞ୍ଜନ ମଳିକଙ୍କୁ ମୃତ ଘୋଷଣା କରିଥିଲେ । ରଶ୍ମିରଞ୍ଜନ ଭୁବନେଶ୍ୱର ଅଂଚଳର ବୋଲି ଜଣାପଡିଛି । ଦୁର୍ଘଟଣାଗ୍ରସ୍ତ ବାଇକ୍ ନମ୍ବର ହେଲା ଓଆର୦୨-ଏଜେଡ୮୬୩୮ ଏବଂ ଧକ୍କା ଦେଇଥିବା କାର୍ ନମ୍ବର ଓଡ଼ି୦୭ବି-୬୫୬୬ । ବଡ଼ବଜାର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣାଗ୍ରସ୍ତ କାର୍ ଓ ବାଇକ୍ କୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି ।
