ବାଇକ୍ ସହ ବାଇକ୍ ଧକ୍କା : ଜଣେ ମୃତ, ଦୁଇ ଗୁରୁତର
ବାଲେଶ୍ୱର : ବାଲେଶ୍ୱର ଜିଲା ଚାନ୍ଦିପୁର ପଟାପୋଲ ଛକ ନିକଟରେ ରବିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍ ସହ ବାଇକ୍ ଧକ୍କା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଥିଲେ । ମୃତ ଯୁବକ ଜଣକ ହେଲେ ହିଡିଗାଁ ଅଞ୍ଚଳର ମହେନ୍ଦ୍ର ଦୁଆରି (୩୫) । ସେହିପରି ଗୁରୁତରଙ୍କୁ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନା ଯେ, ବାଲେଶ୍ୱରରୁ ଚାନ୍ଦିପୁର ହିଡିଗାଁ ନିଜ ଘରକୁ ମହେନ୍ଦ୍ର ଫେରୁଥିବା ବେଳେ ଚାନ୍ଦିପୁରରୁ ନୀଳକଣ୍ଠ ବାରିକ (୩୦) ତାଙ୍କ ବାପା କାର୍ତ୍ତିକ ବାରିକ (୫୦)ଙ୍କୁ ବାଇକ୍ରେ ବସାଇ ମୁଲାନଗର ଅଞ୍ଚଳକୁ ଫେରୁଥିଲେ । ପଟାପୋଲ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ଗାଡ଼ିରୁ ସମସ୍ତେ ଛିଟିକି ପଡ଼ି ଗୁରୁତର ହୋଇଥିଲେ । ଘଟଣାସ୍ଥଳରେ ମହେନ୍ଦ୍ରଙ୍କର ମୃତ୍ୟୁ ହୋଇଯାଇଥିଲା । ଖବରପାଇ ଚାନ୍ଦିପୁର ଥାନା ପୋଲିସ ଓ ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ପୋଲିସ ବାଇକ୍ ଜବତ କରିବା ସହିତ ଏନେଇ ଥାନାରେ ଏକ ମାମଲା (ନଂ. ୮୭ ।୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
