ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେଲା ସାଇ ନର୍ସିଂହୋମ ବାରିପଦା ସହର ପାଇଁ ମାଗଣା ମିନି ଆମ୍ବୁଲାନ୍ସ ସେବା ଆରମ୍ଭ
ବାରିପଦା : ଓଡିଶା ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ଆଜିଠାରୁ ବାରିପଦାର ସାଇ ନର୍ସିଂ ହୋମ ସାମିଲ ହୋଇଥିବାର ଜଣାଯାଇଛି । ଓଡ଼ିଶା ସରକାରଙ୍କ ଏହି ବୃହତ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନିୟମ ମୁତାବକ ଏଠାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଧାରୀ ମାନେ ସମସ୍ତ ଚିକିତ୍ସା ସେବା ପାଇପାରିବେ ବୋଲି ଜଣାଯାଇଛି । ଏହି ଅବସର ରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତଥା ବାଙ୍ଗିରିପୋଷୀ ବିଧାୟକ ସୁଦାମ ମାରାଣ୍ଡି, ସମ୍ମାନୀତ ଅତିଥି ଭାବରେ ପୂର୍ବତନ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ, ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ରୂପଭାନୁ ମିଶ୍ର, ଖୁଂଟା ବ୍ଲକ ଅଧ୍ୟକ୍ଷା ସୁଧନ୍ୟା ନାୟକଙ୍କ ସହ ସାଇ ନର୍ସିଂ ହୋମର ପରିଚାଳନା ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସର ରେ ଆଜି ସାଇ ନର୍ସିଂ ହୋମ ତରଫରୁ ବାରିପଦା ସହରର ଯେ କୌଣସି ସ୍ଥାନରୁ ରୋଗୀଙ୍କୁ ନେବା ଆଣିବା କରିବା ପାଇଁ ଏକ ଏକ ମାଗଣା ମିନି ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରାଯିବା ସହ ଏକ ହେଲ୍ପ ଲାଇନ ନମ୍ବର ୭୬୦-୬୦-୫୬-୫୩୩ ଜାରି କରାଯାଇଥିବାର ଜଣାଯାଇଛି । ରାଜ୍ୟ ସରକାରଙ୍କର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବହୁ ଗରୀବ ରୋଗୀଙ୍କର ଜଟିଳ ଚିକିତ୍ସା ମାଗଣାରେ ହୋଇ ପାରୁଥିବା ଏବଂ ସାଇ ନର୍ସିଂ ହୋମ କୁ ଏହି ସେବା ପ୍ରଦାନର ସୁଯୋଗ ମିଳିଥିବାରୁ ନର୍ସିଂହୋମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପତି ସରକାରଙ୍କ ଠାରେ କୃତଜ୍ଞତା ଜ୍ଞାପନ କରିବା ସହ ଆଗକୁ ନର୍ସିଂ ହୋମ ତରଫରୁ ଅଧିକ ମାଗଣା ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ ବୋଲି କହିଛନ୍ତି ।
