ଏଲ୍ଆଇସିକୁ ବଡ଼ ଝଟକା, ୫୦ ଦିନରେ ୫୦ହଜାର କୋଟି କ୍ଷତି
ନୂଆଦିଲ୍ଲୀ: ହିଣ୍ଡେନବର୍ଗ ଗୋଲକଧନ୍ଦାରେ ଫସିଥିବା ଆଦାନୀ ଗ୍ରୁପର କମ୍ପାନୀ ଗୁଡିକରେ ନିବେଶ ଏଲ୍ଆଇସିକୁ ମହଙ୍ଗା ପଡ଼ିଛି । ଆଦାନୀ ଗ୍ରୁପ୍ ସେୟାର ମୂଲ୍ୟରେ କ୍ରମାଗତ ହ୍ରାସ ଯୋଗୁଁ ମାତ୍ର ୫୦ ଦିନ ମଧ୍ୟରେ ଦେଶର ବୃହତ୍ତମ ବୀମା କମ୍ପାନୀର ୫୦ହଜାର କୋଟିରୁ ଅଧିକ କ୍ଷତି ହୋଇଛି ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗୌତମ ଆଦାନୀଙ୍କ ବିଭିନ୍ନ କମ୍ପାନୀରେ ଏଲ୍ଆଇସି ବିପୁଳ ପୁଞ୍ଜି ବିନିଯୋଗ କରିଛି। ୩୧ ଡିସେମ୍ବର ୨୦୨୨ ସୁଦ୍ଧା ଏଲ୍ଆଇସି ନିବେଶ ମୂଲ୍ୟ ୮୨,୯୭୦ କୋଟି ଥିଲା, ଯାହା ୨୩ ଫେବୃଆରୀ ୨୦୨୩ ସୁଦ୍ଧା ୩୩,୨୪୨ କୋଟି ଟଙ୍କାକୁ ଖସି ଆସିଛି। ଏ ହିସାବରେ ଗତ ୫୦ ଦିନରେ ଏଲ୍ଆଇସିକୁ ୪୯,୭୨୮ କୋଟି ଟଙ୍କା କ୍ଷତି ହୋଇଛି। ଗତ ଏକ ମାସ ମଧ୍ୟରେ ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରଠାରୁ କ୍ଷତି ପରିମାଣ ବଢ଼ି ଚାଲିଛି।
ଆଦାନୀ ଗ୍ରୁପରେ ନିବେଶ କରି କ୍ଷତି ସହୁଥିବା ଏଲ୍ଆଇସିରେ ଲୋକଙ୍କ ଟଙ୍କା ସୁରକ୍ଷିତ କି ନାହିଁ ଏବେ ପ୍ରଶ୍ନ ଉଠିଛି । ଏଲ୍ଆଇସି କ୍ଷତି ନେଇ ଗଣମାଧ୍ୟମ ରିପୋର୍ଟ ଆଧାରରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମଇତ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ ଟ୍ବିଟ୍ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଠାରୁ ଉତ୍ତର ଲୋଡ଼ିଛନ୍ତି । ମହୁଆ କହିଛନ୍ତି ସରକାରଙ୍କ ଉପରେ କ’ଣ ଏମିତି ଚାପ ରହିଛି ଯେ ଲୋକଙ୍କ ଟଙ୍କାରେ ଆଦାନୀ ଗ୍ରୁପକୁ ସହାୟତା କରାଯାଉଛି ?
ଆଦାନୀ ଗ୍ରୁପର ପ୍ରାୟ ସମସ୍ତ ତାଲିକାଭୁକ୍ତ କମ୍ପାନୀର ସେୟାରରେ ଏଲ୍ଆଇସି ନିବେଶ କରିଛି । ଏଥିମଧ୍ୟରେ ଆଦାନୀ ଏଣ୍ଟରପ୍ରାଇଜେସ୍, ଆଦାନୀ ଗ୍ରୀନ୍ ଏନର୍ଜି, ଆଦାନୀ ଏୟାରପୋର୍ଟ, ଆଦାନୀ ଟୋଟାଲ୍ ଗ୍ୟାସ୍, ଆଦାନୀ ଟ୍ରାନ୍ସମିସନ୍, ଅମ୍ବୁଜା ସିମେଣ୍ଟ ଏବଂ ଏସିସି ସାମିଲ । ଏଲଆଇସିର କ୍ଷତି ସଂପର୍କରେ ସେବିରେ ଫାଇଲିଂ ଦାଖଲ ନହେବା ପର୍ଯ୍ୟନ୍ତ ଆମେ କୌଣସି ମନ୍ତବ୍ୟ ଦେଇ ପାରିବୁ ନାହିଁ ବୋଲି ଅର୍ଥ ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି ।
