ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି ! ଭାରତୀୟ ସେନାରୁ ହଟିବ ଗୋଲାମୀର ପ୍ରତୀକ
ନୂଆଦିଲ୍ଲୀ : ଭାରତୀୟ ନୌସେନା ଏହାର ପତାକାରୁ ବ୍ରିଟିଶ ଦାସତ୍ୱର ପ୍ରତୀକ ରହିଥିବା ଭିକ୍ଟୋରିଆ କ୍ରସ୍ ହଟାଇବା ପରେ ବର୍ତ୍ତମାନ ଭାରତୀୟ ସେନା ମଧ୍ୟ ଏହି ଦିଗରେ ନିଜର ପଦକ୍ଷେପ ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶକ୍ରମେ ଭାରତୀୟ ସେନା ବ୍ରିଟିଶ ସାମ୍ରାଜ୍ୟବାଦର ସମସ୍ତ ପ୍ରତୀକକୁ ଗୋଟିଏ ପରେ ଗୋଟିଏ ହଟାଇବାକୁ ଯାଉଛି। ଏନେଇ ସେନା ପକ୍ଷରୁ ଏକ ବ୍ୟାପକ ଆଭ୍ୟନ୍ତରୀଣ ସର୍ଭେ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ସର୍ଭେ ମାଧ୍ୟମରେ ସେନାରେ ରହିଥିବା ବ୍ରିଟିଶ ପ୍ରତୀକକୁ ଚିହ୍ନଟ କରାଯାଇ ଏହାକୁ ଅପସାରଣ କରାଯିବ।
ସୂତ୍ରରୁ ମିଳିଥିବା ଖବର ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶକ୍ରମେ ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ବ୍ରିଟିଶ ଦାସତ୍ୱର ପ୍ରତୀକ ଚିହ୍ନଟ କରିବାକୁ ସେନା ଅଧିକାରୀଙ୍କୁ କହିଛନ୍ତି। ରିପୋର୍ଟ ଅନୁଯାୟୀ ଭାରତୀୟ ସେନାର ଅନେକ ରେଜିମେଣ୍ଟ ଏବଂ ସେନା ୟୁନିଟରେ ଅନେକ ବ୍ରିଟିଶ କାଳୀନ ପରମ୍ପରା ପାଳନ କରା ଯାଇଥାଏ। ଏହି ସେନା ୟୁନିଟ ଦ୍ୱାରା ବ୍ୟବହାର କରା ଯାଉଥିବା ୟୁନିଫର୍ମ ସହ ପାଳନ କରାଯାଉଥିବା ନୀତି, ନିୟମ, ଆଇନ ହେଉଛି ବ୍ରିଟିଶ ଯୁଗର।
ବ୍ରିଟିଶ କାଳରେ ନିର୍ମିତ ଅନେକ ସେନା ପ୍ରତିଷ୍ଠାନର ନାମ ମଧ୍ୟ ଇଂରାଜୀ ଅଧିକାରୀଙ୍କ ନାମରେ ଚାଲିଛି। ଅନେକ ସେନା କୋଠା, ରାସ୍ତା, ଗାଡ଼ି ଏବଂ ପାର୍କ ମଧ୍ୟ ବ୍ରିଟିଶ ଅଧିକାରୀଙ୍କ ନାମରେ ନାମିତ ହୋଇଛି। ବର୍ତ୍ତମାନ ତାହାର ନାମକୁ ଗୋଟିଏ ପରେ ଗୋଟିଏ ବଦଳାଯିବ।
ବର୍ତ୍ତମାନ ଭାରତୀୟ ସେନାର ଅନେକ ପୁରସ୍କାର ବ୍ରିଟିଶ କାଳର ବୋଲି ଜଣାପଡ଼ିଛି। ଏହି ପୁରସ୍କାର ସେହି ଲୋକଙ୍କୁ ଦିଆଯାଇଥିଲା ଯେଉଁମାନେ ବ୍ରିଟିଶ ସରକାରଙ୍କୁ ଭାରତୀୟ ସ୍ୱାଧୀନତା ଆନ୍ଦୋଳନକୁ ଧ୍ୱଂସ କରିବାରେ ସାହାଯ୍ୟ କରିଥିଲେ। ଏଭଳି ପରିସ୍ଥିତିରେ ଏହି ପୁରସ୍କାର ଭାରତୀୟ ଅସ୍ମିତାର ବିରୋଧୀ। ଏହି ପୁରସ୍କାରକୁ ବନ୍ଦ କରାଯିବ କିମ୍ବା ଏହାର ନାମ ପରିବର୍ତ୍ତନ କରାଯିବ।
ବ୍ରିଟିଶ୍ କାଳୀନ ଅଫିସର୍ସ ମେସ୍ ପରମ୍ପରା, ସେନା ୟୁନିଟ୍ ପତାକା, ତାହାର ନାମ ଏବଂ ବୀଟିଙ୍ଗ ଦି ରିଟ୍ରୀଟ୍ ଭଳି ସମାରୋହର ନାମର ମଧ୍ୟ ସମୀକ୍ଷା କରାଯିବା ସହ ଆବଶ୍ୟକ ପଡ଼ିଲେ ଏହାକୁ ପରିବର୍ତ୍ତନ କରାଯିବ। ଦେଶର ସ୍ୱାଧୀନତା ସଂଗ୍ରାମୀ ତଥା ଭାରତୀୟ ମହାପୁରୁଷଙ୍କ ନାମରେ ଏହାକୁ ନାମିତ କରାଯିବ। ଯେଉଁମାନେ ଦେଶର ସ୍ୱାଧୀନତା ସଂଗ୍ରାମକୁ ଆଗକୁ ବଢାଇବାରେ ଏକ ଭୂମିକା ଗ୍ରହଣ କରିଥିଲା।
କ୍ଷମତାରେ ରହିବାର ୮ ବର୍ଷ ମଧ୍ୟରେ ଅଗ୍ନିପଥ ଯୋଜନା କାର୍ଯ୍ୟକାରୀ କରିବା ପୂର୍ବରୁ ଭାରତୀୟ ସଶସ୍ତ୍ର ବଳରେ ପରିବର୍ତ୍ତନ ଆଣିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି ମୋଦି ସରକାର। ସେନାରେ ପରିବର୍ତ୍ତନ ଆଣିବା ପାଇଁ ପାଞ୍ଚଟି ଐତିହାସିକ ପଦକ୍ଷେପ ନେଇଛନ୍ତି ମୋଦି ସରକାର। ତାହା ହେଉଛି… ୧.ୱାନ ରାଙ୍କ ୱାନ ପେନସନ ଯୋଜନା । ୨.ସିଡିଏସ ନିଯୁକ୍ତି । ୩. ସେନାର ସ୍ୱଦେଶୀକରଣ । ୪.ନୂତନ ଇଣ୍ଟିଗ୍ରେଟେଡ୍ ଥିଏଟର କମାଣ୍ଡ ଗଠନ । ୫.ଅଗ୍ନିପଥ ଯୋଜନା ।
