ମାଓ ଦମନରେ ସରକାରଙ୍କୁ ବଡ ସଫଳତା : ୧୦ ବର୍ଷରେ ୭୦% ହ୍ରାସ
ନୂଆଦିଲ୍ଲୀ : ମାଓ ଦମନରେ ଗତ ୧୦ବର୍ଷରେ ସରକାରଙ୍କୁ ମିଳିଛି ବଡ ସଫଳତା । ୨୦୦୯ ତୁଳନାରେ ୭୦ ପ୍ରତିଶତ କମିଛି ମାଓ ଗତିବିଧି । ୨୦୦୯ରେ ସମଗ୍ର ଦେଶରେ ୨,୨୫୮ ମାଓ ହିଂସା ଘଟିଥିବାବେଳେ ୨୦୨୦ରେ ମାତ୍ର ୬୬୫ଟି ମାଓ ହିଂସା ସାମ୍ନାକୁ ଆସିଥିବା ଜଣାପଡିଛି । ମାଓ ବିରୋଧୀ ଅଭିଯାନରେ ଅର୍ଦ୍ଧ-ସାମରିକ ବାହିନୀକୁ ବଡ ସଫଳତା ମିଳିଥିବା କହିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ।
ବାମପନ୍ଥୀ ଉଗ୍ରବାଦ କାର୍ଯ୍ୟକଳାପରେ ମାଓବାଦୀମାନେ ସୁରକ୍ଷାକର୍ମୀ ଓ ସ୍ଥାନୀୟ ନାଗରିକଙ୍କୁ ମଧ୍ୟ ଆକ୍ରମଣ କରୁଛନ୍ତି । ତଥାପି ନକ୍ସଲ ଦମନ କ୍ଷେତ୍ରରେ ଭାରତ ସରକାରଙ୍କୁ ବଡ ସଫଳତା ମିଳିଛି । ୨୦୦୯ ତୁଳନାରେ ପ୍ରାୟ ୭୦ ପ୍ରତିଶତ ମାଓ ହିଂସା ହ୍ରାସ ପାଇବା ଏହାର ଉଦାହରଣ ବୋଲି କହିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ । ବିଜେପି ସାଂସଦ ବିଜୟ ପାଲ ସିଂ ତୋମାରଙ୍କ ନକ୍ସଲ ହିଂସା ସମ୍ପର୍କିତ ପ୍ରଶ୍ନରେ ଏପରି ଲିଖିତ ତଥ୍ୟଭିତ୍ତିକ ଉତ୍ତର ରଖିଛନ୍ତି ମନ୍ତ୍ରୀ ରାୟ ।
ଏଥିସହ ନକ୍ସଲ ହିଂସା ହ୍ରାସ ଯୋଗୁଁ ମୃତ୍ୟୁହାର ହ୍ରାସ ପାଇଛି କି ନାହିଁ ବୋଲି ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ କହିଛନ୍ତି ,ହିଂସା ହାର କମିବା ସହ ମୃତ୍ୟୁ ହାର ମଧ୍ୟ ଯଥେଷ୍ଟ ହ୍ରାସ ପାଇଛି । ସୁରକ୍ଷା ବଳର ଯବାନ ଓ ସାଧାରଣ ନାଗରିକଙ୍କ ମୃତ୍ୟୁ ହାରରେ ମଧ୍ୟ ଯଥେଷ୍ଟ ହ୍ରାସ ଘଟିଛି । ୨୦୧୦ ମସିହାରେରେ ୨୦୦୫ ଜଣ ସୁରକ୍ଷାବଳ ଓ ସାଧାରଣ ନାଗରିକ ମାଓ ହିଂସାରେ ପ୍ରାଣ ହରାଇଥିବାବେଳେ ୨୦୨୦ରେ ସଂଖ୍ୟା ମାତ୍ର ୧୮୩ରେ ରହିଛି । ଯାହାକି ପରିସଂଖ୍ୟାନ ଦୃଷ୍ଟିରୁ ୮୦ ପ୍ରତିଶତ ହ୍ରାସ ପାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ମାଓ ଗତିବିଧି ଓ ସେମାନଙ୍କ ସାଙ୍ଗଠନିକ ବିସ୍ତାର ମଧ୍ୟ ସୀମିତ ହୋଇଛି । ସୂଚନାନୁସାରେ ୨୦୧୩ରେ ୧୦ଟି ରାଜ୍ୟର ୭୬ ଟି ଜିଲ୍ଲାରେ ମାଓ ତଥା ଉଗ୍ରବାଦୀ ଗତିବିଧି ଚାଲିଥିବାବେଳେ ବର୍ତ୍ତମାନ ସୁଦ୍ଧା ଏହା ପ୍ରାୟ ୯ଟି ରାଜ୍ୟରେ କେବଳ ୫୩ଟି ଜିଲ୍ଲା ବାମପନ୍ଥୀ ହିଂସା ସମ୍ବନ୍ଧୀୟ କେସ ରିପୋର୍ଟ କରିଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ରାୟ ।
