ଅର୍ଚ୍ଚନା ନାଗଙ୍କ ଜାମିନ ଖାରଜ କଲେ ଭୁବନେଶ୍ୱର ଏସଡିଜେଏମ
ଭୁବନେଶ୍ୱର : ବ୍ଲାକମେଲିଂ କୁଇନ ତଥା ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗଙ୍କ ଜାମିନ ଖାରଜ । ଜାମିନ ଖାରଜ କଲେ ଭୁବନେଶ୍ୱର ଏସଡିଜେଏମ କୋର୍ଟ । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ଏହି ରାୟ ଶୁଣାଇଛନ୍ତି। ଫଳରେ ଏବେ ଜେଲରୁ ମୁକୁଳି ପାରିବେନି ଅର୍ଚ୍ଚନା ନାଗ।
ଗତ ଶୁକ୍ରବାର ଅର୍ଚ୍ଚନାଙ୍କ ଜାମିନ ଆବେଦନ କରିଥିଲେ ତାଙ୍କ ଓକିଲ ଦେବାଶିଷ ମହାପାତ୍ର । ସୁରକ୍ଷା ଦୃଷ୍ଟିରୁ ଅର୍ଚ୍ଚନାଙ୍କୁ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର କରାଯାଇନଥିଲା। ଜେଲରେ ଥାଇ ଅର୍ଚ୍ଚନା ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର ହୋଇଥିଲେ। ଅର୍ଚ୍ଚନାଙ୍କୁ ଜାମିନ୍ ମିଳିବା ଉଚିତ ବୋଲି ସେମାନେ ବିଭିନ୍ନ ଯୁକ୍ତି ଦର୍ଶାଇଥିଲେ। ସରକାରୀ ଓକିଲ ଏହାକୁ ବିରୋଧ କରିଥିଲେ। ୧୬ଟି ଦଫା ମଧ୍ୟରୁ ଦଫା ୩୭୦ ଓ ଆଇଟି ଆକ୍ଟ ଭଳି ସଂଗିନ୍ ଅଭିଯୋଗ ଥିବା ଦର୍ଶାଇ ସରକାରୀ ଓକିଲ ଜାମିନକୁ ବିରୋଧ କରିଥିଲେ। କୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣିଥିଲେ ଓ ରାୟ ସଂରକ୍ଷିତ ରହିଲା ବୋଲି ଜଣାଇଥିଲେ। ସେପଟେ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟ ଉପରୁ ପରଦା ହଟାଇବାକୁ ୫ ଦିନିଆ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କରିବ ଖଣ୍ଡଗିରି ଥାନା ପୋଲିସ । ରିମାଣ୍ଡରେ ନେଇ ସମସ୍ତ ରହସ୍ୟ ଉପରୁ ହଟାଇବାକୁ ପୋଲିସ ତନାଘନା ଚଳାଇଛି । ତେବେ ରିମାଣ୍ଡ ମିଳିବା ପରେ ଅର୍ଚ୍ଚନାକୁ ପୋଲିସ ଥାନାରେ ଆଣି ପଚରାଉଚୁରା କରିବ ନା ଝାରପଡା ଜେଲରେ ହିଁ ଜେରା କରିବ ତାକୁ ନେଇ ପ୍ରଶ୍ନ ଉଠିଛି ।
ସୂଚନା ଯେ, ଦେହ ବ୍ୟବସାୟ ଭଳି କଳା ବେପାରରେ ଯୁବତୀଙ୍କୁ ନିୟୋଜିତ କରିବା, ଅନ୍ତରଙ୍ଗ ମୁହୂର୍ତ୍ତର ନଗ୍ନ ଭିଡିଓ ସୁଟ୍ କରି ଟଙ୍କା ପାଇଁ ବ୍ଲାକମେଲ୍ କରିବା ଆଦି ବିଭିନ୍ନ ସଙ୍ଗିନ୍ ଦଫାରେ ଗିରଫ ହୋଇ ଜେଲରେ ଅଛନ୍ତି ଅର୍ଚ୍ଚନା ନାଗ। ସମ୍ପ୍ରତି ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ଏହି ମାମଲାର ମୁଖ୍ୟ ଅର୍ଚ୍ଚନାଙ୍କ ଜାମିନ୍ ଆବେଦନର ଶୁଣାଣି ଭୁବନେଶ୍ବର ଏସ ଡିଜେଏମ୍ କୋର୍ଟରେ ହୋଇଥିଲା। ଶୁଣାଣି ଶେଷ ହୋଇଥିବା ବେଳେ ରାୟ ସଂରକ୍ଷିତ ରହିଥିଲା। ସୋମବାର ରାୟ ପ୍ରକାଶ ପାଇଛି।
