ଗଣ୍ଡଗୋଳ ଓ ଠେଲାପେଲାରେ ମନୀଷଙ୍କ ମୃତ୍ୟୁ ହୋଇଥିବା ନେଇ ଭୁବନେଶ୍ୱର ଡିସିପିଙ୍କ ବିସ୍ତୃତ ସୂଚନା, ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ
ଭୁବନେଶ୍ୱର: ବହୁଚର୍ଚ୍ଚିତ ମନୀଷ ଅନୁରାଗ ମୃତ୍ୟୁ ରହସ୍ୟ ଉନ୍ମୋଚନ । ଶନିବାର ଖବରଦାତା ସମ୍ମିଳନୀରେ ମୃତ୍ୟୁ ସମ୍ପର୍କରେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସଙ୍କ ବିସ୍ତୃତ ସୂଚନା । ମନୀଷ ୩ଜଣ ସାଙ୍ଗଙ୍କ ସହ ପ୍ରଥମେ ଲକ୍ଷ୍ମୀସାଗର ଅଞ୍ଚଳ ଯାଇଥିଲେ । ପରେ ଭୋର ସମୟରେ ପାତ୍ରପଡ଼ା ଅଞ୍ଚଳର ହୋଟେଲକୁ ଯାଇଥିଲେ । ହୋଟେଲ୍ରେ ବିଲ୍ ପେମେଣ୍ଟକୁ ନେଇ ପାଟିତୁଣ୍ଡ ହୋଇଥିଲା । ହୋଟେଲ ବାହାରେ ମନୀଷକୁ ବନ୍ଧୁମାନେ ଆକ୍ରମଣ କରିଥିଲେ । ଗଣ୍ଡଗୋଳ ଓ ଠେଲାପେଲାରେ ମନୀଷଙ୍କ ମୃତ୍ୟୁ ହୋଇଥିଲା । ପରେ ତାଙ୍କୁ ଏକ ଗାଡ଼ି ଯୋଗେ ନେଇ ଉକ୍ତ ପୋଖରୀରେ ଫିଙ୍ଗିଥିଲେ । ମୃତ୍ୟୁ ପରେ ପ୍ରମାଣ ନଷ୍ଟ କରିବାକୁ ଶରୀରକୁ ପୋଖରୀରେ ଫିଙ୍ଗିଥିଲେ । ୩୬୪ (ଏ), ୩୦୨, ୨୦୧ ଏବଂ ୩୪ ମାମଲାରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅଧିକ ସୂଚନା ତଥା ଏହି ଘଟଣାରେ ଅନ୍ୟ କାହାରି ସମ୍ପୃକ୍ତ ରହିଛି କି ନାହିଁ ସେଥିପାଇଁ ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିଥିବାର ଡିସିପି ସୂଚନା ଦେଇଛନ୍ତି ।
ସୂଚନା ଯେ, ମନୀଷ ଅନୁରାଗ ମୃତ୍ୟୁ ଘଟଣାର ୩ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ମନୀଷଙ୍କ ମୃତ୍ୟୁ ରହସ୍ୟ ଭେଦ କରିବାକୁ ୪ ଜଣଙ୍କୁ ଅଟକ ରଖି ମାରାଥନ୍ ଜେରା କରୁଥିଲା ସ୍ପେଶାଲ ସ୍କ୍ବାର୍ଡ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଅଟକ ଥିବା ଅନ୍ୟ ଜଣଙ୍କୁ ପ୍ରମାଣ ଅଭାବରୁ ଛାଡିଛି ପୋଲିସ । ଏହି ମାମଲାକୁ କମିସନରେଟ୍ ପୋଲିସର ଇନଫୋସିଟି, ତମାଣ୍ଡୋ ଥାନା ପୋଲିସ ତଦନ୍ତ କରୁଥିବା ବେଳେ ସ୍ପେଶାଲ ସ୍କ୍ବାର୍ଡ ଏହି ମାମଲାକୁ ମନିଟରିଂ କରୁଛି । ପୋଲିସ ହାତରେ ଏହି ମାମଲାର ଅନେକ ସୁରାଗ ଲାଗିସାରିଲାଣି । ଏହା ଏକ ହତ୍ୟାକାଣ୍ଡ ବୋଲି ବୋଲି ସୂଚନା ମିଳୁଛି । ସେଦିନ ମନୀଷଙ୍କ ସହିତ ହୋଟେଲରେ ଦେଖାଯାଇଥିବା ୪ ଜଣଙ୍କୁ ପୋଲିସ ପଚରା ଉଚରା ଆପାତତଃ ଶେଷ କରିଛି । ଏହି ୪ ଜଣଙ୍କଠାରୁ ଅନେକ କିଛି ତଥ୍ୟ ପାଇଛି ତଦନ୍ତକାରୀ ଦଳ ।
