ଆଜିଠୁ କୁମ୍ଭୀର ଗଣନା, ୧୦ଦିନ ଭିତରକନିକା ବନ୍ଦ
କେନ୍ଦ୍ରାପଡ଼ା : ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଆଜିଠାରୁ ବନ୍ଦ ରହିବ । କୁମ୍ଭୀର ଗଣନା ପାଇଁ ଆଜିଠାରୁ ଜାନୁଆରୀ ୧୪ ତାରିଖ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ। ଗତବର୍ଷ ଭିତରକନିକାରେ କୁମ୍ଭୀର ଗଣନା ବେଳେ ୧୭ ଶହ ୮୪ କୁମ୍ଭୀର ଚିହ୍ନଟ କରାଯାଇଥିଲା । ଚଳିତର୍ଷ କୁମ୍ଭୀର ବିଶାରଦ ଡକ୍ଟର ସୁଧାକର କରଙ୍କ ନେତୃତ୍ୱରେ ଟିମ୍ କୁମ୍ଭୀର ଗଣନା କରିବେ । ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି ।
ବିରଳ ବଉଳା କୁମ୍ଭୀରଙ୍କ ଏନ୍ତୁଡିଶାଳ ଭିତରକନିକାରେ କୁମ୍ଭୀର ଗଣନା କରାଯିବ । ଭିତରକନିକା ଜାତୀୟ ଉଦ୍ୟାନ ଓ ଜାତୀୟଉଦ୍ୟାନ ବାହାରେ ଥିବା ନଦୀ ନାଳ ଗୁଡିକରେ କୁମ୍ଭୀରମାନଙ୍କର ଗଣନା କରାଯିବ । କୁମ୍ଭୀର ଗଣନା ସମୟରେ ଭିତରକନିକା ଜାତୀୟ ଉଦ୍ୟାନ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ଜାନୁୟାରୀ ୪ ତାରିଖରୁ ୧୪ ତାରିଖ ଯାଏଁ ୧୦ ଦିନ ଧରି କୁମ୍ଭୀରମାନଙ୍କର ଗଣନା କରାଯିବ । ୧୦ଦିନ ଧରି ଭିତରକନିକା ଦେଶବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ଜାନୁୟାରୀ ୧୫ରେ ଭିତରକନିକା ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଖୋଲିବ । ଭିତରକନିକାରେ ଜାନୁୟାରୀ ୨୦୨୨ରେ ହୋଇଥିବା ଗଣନା ଅନୁସାରେ ୧୭୮୪ ବଉଳା କୁମ୍ଭୀର ଅଛନ୍ତି ।
