୪ ଟି ପ୍ରସଙ୍ଗରେ ଖୁଲାସା କରିବେ ଭର୍ତୃହରି – ଭର୍ତୃହରିଙ୍କ ମନ୍ତବ୍ୟରେ ବିଜେଡିରେ କମ୍ପନ
ଭୁବନେଶ୍ୱର : ବିଜେଡିରେ ଅନ୍ତଃକନ୍ଦଳ ଚାଲିଛି ବୋଲି ଜୋରଦାର ଚର୍ଚ୍ଚା ହେଉଛି । ଏହାରି ମଧ୍ୟରେ ବିଜେଡିର ବରିଷ୍ଠ ନେତା ତଥା କଟକ ସାଂସଦ ଭର୍ତୃହରି ମହତାବ ଗଣମାଧ୍ୟମରେ ଯେଉଁ ବୟାନ ରଖିଛନ୍ତି ତାହା ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଭର୍ତୃହରି ସୋମବାର କହିଛନ୍ତି ସେ ୪ଟି ବିଷୟରେ ନିଜର ଆଭିମୁଖ୍ୟ ଗଣମାଧ୍ୟମ ଆଗରେ ରଖିବେ । ତେବେ ସେ ୪ ଟି ପ୍ରସଙ୍ଗ କଣ ତାକୁ ନେଇ ବିଜେଡି ମହଲରେ ଶଙ୍କା ବଢିଲାଣି । ସ୍ୱାଧୀନତା ସଂଗ୍ରାମୀ ଦିବସ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଗଣମାଧ୍ୟମ ପ୍ରତିନିଧିମାନେ ଭର୍ତୃହରିଙ୍କୁ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସରେ ଅନୁପସ୍ଥିତ ରହିଥିବା ସମ୍ପର୍କରେ ପଚାରିଥିଲେ । ଶ୍ରୀ ମହତାବ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏନେଇ ଚର୍ଚ୍ଚା ନକରିବା ଭଲ । ବିଜେଡି ପ୍ରତିଷ୍ଠା ଦିବସରେ କାହିଁକି ଅନୁପସ୍ଥିତ ରହିଲେ ତା’ର ସିଧାସଳଖ ଉତର ନଦେଇ ଶ୍ରୀ ମହତାବ କହିଥିଲେ ଯେ, ସାଂସଦ ପିନାକୀ ମିଶ୍ର ତ ଅନୁପସ୍ଥିତ ଥିଲେ । ତାଙ୍କୁ ଏନେଇ ପଚାରିଛନ୍ତି କି? ପିନାକୀ ଅସୁସ୍ଥ ଥିବା ନେଇ ଦଳ ପକ୍ଷରୁ ଘୋଷଣା କରାଯାଇଥିଲା, କିନ୍ତୁ ତାଙ୍କ ସମ୍ପର୍କରେ କିଛି କୁହାଯାଇନଥିବା ସମ୍ପର୍କରେ ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ସେଦିନ ପିନାକୀବାବୁ କେଉଁଠି ଥିଲେ ବୋଲି ସେ ଓଲଟା ପ୍ରଶ୍ନ କରିଥିଲେ । ସେହିପରି ୪ଟି ବିଷୟରେ କହିବାର ଅଛି । ଏବେ ନୁହେଁ, ଦେଖାହେଲେ କହିବେ ବୋଲି କହିଛନ୍ତି । ଖୁବଶୀଘ୍ର କହିବେ ବୋଲି କହିଛନ୍ତି । ଯାହା ସେ କହିବାକୁ ଚାହୁଁଛନ୍ତି ସେଥିରେ ୨୦୨୪ରେ ନିର୍ବାଚନ ଲଢ଼ିବେ କି ନାହିଁ ତାହା ବି ଗୋଟିଏ ପ୍ରସଙ୍ଗ । ସେପଟେ ବିଜେଡିରେ ସେମିତି କିଛି ଦ୍ୱନ୍ଦ୍ୱ ନାହିଁ । ପ୍ରତିଷ୍ଠା ଦିବସ ବହୁତ ଭଲ ଭାବରେ ହୋଇଛି । ସମସ୍ତଙ୍କ ଯୋଗଦାନ ରେ ହୋଇଛି ବୋଲି କହିଛନ୍ତି ଦଳର ଉପ ସଭାପତି ଦେବୀ ମିଶ୍ର । ଭର୍ତ୍ତୃହରି ବାବୁଙ୍କ ଯାହା ବି କହିବାର ଅଛି କୁହନ୍ତୁ ବୋଲି ବି ସେ କହିଛନ୍ତି ।
