ବିଏଫଡବ୍ଲୁ ବିଶ୍ବ ଚାମ୍ପିଅନସିପ୍: ଫାଇନାଲରେ ଶ୍ରୀକାନ୍ତ, ରୌପ୍ୟ ସୁନିଶ୍ଚିନ୍ତ
India's Srikanth Kidambi hits a shot to India's Lakshya Sen Sindhu during the men's singles semi-final badminton match of the BWF World Championships in Huelva, on December 18, 2021. (Photo by JOSE JORDAN / AFP)
ମାଦ୍ରିଦ : ବିଏଫଡବ୍ଲୁ ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପ୍ରେ ଭାରତକୁ ସଫଳତା। ପ୍ରଥମ ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଖେଳାଳି ଭାବେ ଫାଇନାଲ୍ରେ ଉତୀର୍ଣ୍ଣ ହୋଇ ଇତିହାସ ସୃଷ୍ଟି କରିଛନ୍ତି କିଦାମ୍ବି ଶ୍ରୀକାନ୍ତ। ସବୁ ଆକଳନକୁ ଭୁଲ ପ୍ରଣାଣିତ କରି ଭାରତର ଏହି ଅଭିଜ୍ଞ ଖେଳାଳି ଚଳିତ ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପ୍ ଫାଇନାଲରେ ପ୍ରବେଶ କରିଛନ୍ତି।
ଅନୁଷ୍ଠିତ ସେମିଫାଇନାଲରେ ୧୭-୨୧, ୨୧-୧୪, ୨୧-୧୭ ଗେମରେ ଲକ୍ଷ୍ୟ ସେନଙ୍କୁ ହରାଇ ଫାଇନାଲରେ ପହଞ୍ଚିଛନ୍ତି। ଅନ୍ୟପଟେ ଲକ୍ଷ୍ୟ ସେନ ବ୍ରୋଞ୍ଜରେ ସନ୍ତୁଷ୍ଟ ଅଛନ୍ତି। ସେମିଫାଇନାଲରେ ଦୁଇ ଭାରତୀୟ ଲକ୍ଷ୍ୟ ଓ ଶ୍ରୀକାନ୍ତ ପରସ୍ପରକୁ ଭେଟିଥିଲେ। ମ୍ୟାଚକୁ ନେଇ ଭାରତାୟ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ଅନ୍ତର୍ଜାତୀୟ ସ୍ତରରେ ଉଭୟ ପ୍ରଥମ ଥର ପାଇଁ ସାମ୍ନାସାମ୍ନି ହୋଇଥିଲେ।
ପ୍ରଥମ ଗେମରୁ ହିଁ ପ୍ରତି ପଏଣ୍ଟ ପାଇଁ କଡା ସଂଘର୍ଷ ଦେଖିବାକୁ ମିଳିଥିଲା। ୨୦ ବର୍ଷୀୟ ଲକ୍ଷ୍ୟ ସେନ ଦମଦାର ପ୍ରଦର୍ଶନ କରି ଏକଦା ୧୪-୧୧ରେ ଅଗ୍ରଣୀ ହାସଲ କରଥିଲେ। ଶ୍ରୀକାନ୍ତ ପ୍ରତ୍ୟାବର୍ତ୍ତନ କରି ସ୍ଥିତି ୧୬-୧୬ରେ ବରାବର କରିଥିଲେ। ଏହାପରେ ଲକ୍ଷ୍ୟ ବିନା ତ୍ରୁଟିରେ ୨୧-୧୭ରେ ପ୍ରଥମ ଗେମ ଅକ୍ତିଆର କରିଥିଲେ। ଦ୍ବିତୀୟ ଗେମରେ ସେ ପ୍ରଥମରୁ ୮-୪ରେ ଆଗୁଆ ରହିଥିଲେ। ସହଜରେ ଲକ୍ଷ୍ୟ ବାଜିମାତ କରିବା ଆଶା କରାଯାଉଥିଲା ହେଲେ ଶ୍ରୀକାନ୍ତ ୨ ପଏଣ୍ଟ ସହିତ ମ୍ୟାଚକୁ ଫେରିଥିଲେ। ଏହାପରେ ସେ କ୍ରମାନ୍ବୟରେ ୬ ପଏଣ୍ଟ ହାସଲ କରି ୧୨-୯ ରେ ଆଗୁଆ ହୋଇଥିଲେ। ଏହାପରେ ଲକ୍ଷ୍ୟଙ୍କର ମ୍ୟାଚକୁ ଫେରିବାର ସବୁ ବାଟ ବନ୍ଦ ହୋଇଯାଇଥିଲା। ଶ୍ରୀକାନ୍ତ ୨୧-୧୪ରେ ବିଜୟ ସହ ସ୍ଥିତି ବରାବର କରିଥିଲେ। ଅନ୍ତିମ ଗେମରେ ଲକ୍ଷ୍ୟ ଏକଦା ୧୩-୯ରେ ଆଗୁଆ ରହିଥିଲେ। ସ୍ଥିତି ୧୬-୧୬ରେ ବରାବର ରହିଥିଲା। ଶେଷରେ ଶ୍ରୀକାନ୍ତ ଅଭିଜ୍ଞତା ଫାଇଦା ଉଠାଇ ବାଜିମାତ କରିଥିଲେ। ଲକ୍ଷ୍ୟଙ୍କୁ ବ୍ରୋଞ୍ଜ ମିଳିବା ସହ ଶ୍ରୀକାନ୍ତ ଫାଇନାଲରେ ପ୍ରବେଶ କରିଛନ୍ତି। ପ୍ରଥମ ଥର ପାଇଁ ଭାରତକୁ ୨ଟି ପଦକ ମିଳିଛି।
