ବନ୍ଧା ହେଲା ଧୋକ୍କାବାଜ୍ ପ୍ରେମିକ : ବିବାହ ପ୍ରଲୋଭନ ଦେଖାଇ ରଖିଥିଲା ଶାରୀରିକ ସମ୍ପର୍କ
ଅନୁଗୁଳ : ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ଅନୁଗୁଳ ଟାଉନ୍ ଥାନା ପୁଲିସ୍ ଧୋକ୍କାବାଜ୍ ପ୍ରେମିକକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲା, ଅନୁଗୁଳ ସହରର ଘନଶ୍ୟାମ ମାଣ୍ଡୋଠିଆ(୨୯) ବୋଲି ଜଣାପଡ଼ିଛି ।
ସୂଚନା ଯେ, ପ୍ରତାରଣାର ଶିକାର ହୋଇଥିବା ଯୁବତୀ ଜଣଙ୍କ ଅନୁଗୁଳ ସହର ଉପକଣ୍ଠର । ପ୍ରାୟ ଦୁଇ ବର୍ଷ ତଳେ ଅଭିଯୁକ୍ତ ଘନଶ୍ୟାମ ଉକ୍ତ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇବାକୁ ଉଦ୍ୟମ କରିଥିଲା । ବାରମ୍ବାର ପିଛା କରିବା ସହ ପ୍ରେମ ନିବେଦନ କରିଥିଲା ଏବଂ ସଫଳ ମଧ୍ୟ ହୋଇଥିଲା । ଧିରେ ଧିରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ ହୋଇଥିଲା । ଏମିତିକି ପ୍ରେମ ସମ୍ପର୍କ ଶାରୀରିକ ସମ୍ପର୍କ ଆଡ଼କୁ ଗତି କରିଥିଲା । ବିବାହର ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ଯୁବତୀଙ୍କ ସହ କେବଳ ଶାରୀରିକ ସମ୍ପର୍କ ରଖିନଥିଲା, ଚାପ ପକାଇ ଅନ୍ତଃସତ୍ୱା ପ୍ରେମିକାର ଗର୍ଭପାତ କରାଇବା ସହ ବୁଢ଼ୀ ଠାକୁରାଣୀ ମନ୍ଦିରରେ ବିବାହ କରିଥିଲା । ଯୁବତୀଙ୍କ ମନ ବୁଝାଇବା ପାଇଁ ଅଭିଯୁକ୍ତ ବିବାହ ସିନା କରିଥିଲା, କିନ୍ତୁ ଘରକୁ ନେଇନଥିଲା । ସମ୍ଭ୍ରାନ୍ତ ପୁଣି ଭିନ୍ନ ଜାତିର ହୋଇଥିବାରୁ ଘରେ ତାଙ୍କୁ ଗ୍ରହଣ କରିବେ ନାହିଁ ବୋଲି ଅଭିଯୁକ୍ତ ରୋକଠୋକ୍ ଶୁଣାଇବା ସହ ଆଉ ଧରାଛୁଆଁ ଦେଇନଥିଲା ।
ଘରକୁ ଆସିବା ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କଲେ ପୂର୍ବରୁ ମୋବାଇଲ୍ରେ କଏଦ କରିଥିବା ଯୁବତୀଙ୍କ ଅଶ୍ଳୀଳ ଭିଡିଓକୁ ଭାଇରାଲ୍ କରିଦେବ ବୋଲି ଅଭିଯୁକ୍ତ ଧମକ ଦେଇଥିଲା । ଧୋକ୍କାବାଜ୍ ପ୍ରେମିକର ପ୍ରତାରଣା ଏତିକିରେ ସୀମିତ ରହିନଥିଲା, ତା’ର ଘର ଲୋକ ଏଥିରେ ହସ୍ତକ୍ଷେପ କରିବା ସହ ଯୁବତୀଙ୍କୁ ଧମକ ଚମକ ଦେଇଥିଲେ । ଫଳରେ ପୀଡ଼ିତା ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ୍ ଏ ସଂକ୍ରାନ୍ତରେ କେସ୍ ନଂ ୫୯୦/୨୧ରେ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତ ଘନଶ୍ୟାମକୁ ଗିରଫ କରି କୋର୍ଟ୍ଚାଲାଣ କରିଛି ।
