ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ବେନ୍ କୁପର
ନୂଆଦିଲ୍ଲୀ : କ୍ରିକେଟ୍ ଜଗତରୁ ଆଉ ଏକ ଚକିତ କରିବା ଭଳି ଖବର ସାମ୍ନାକୁ ଆସିଛି । ନେଦରଲାଣ୍ଡ ବ୍ୟାଟର୍ ବେନ୍ କୁପର ଅଚାନକ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ମାତ୍ର ୨୯ ବର୍ଷ ବୟସରେ ସେ କ୍ରିକେଟ୍କୁ ବାଏବାଏ କହିଛନ୍ତି । ୮ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ହଠାତ୍ ପୂର୍ଣ୍ଣଛେଦ କାହିଁକି ପଡିଲା ସେ ନେଇ ବେନ୍ କୌଣସି ସୂଚନା ଦେଇନାହାନ୍ତି । ନେଦରଲାଣ୍ଡର ବାମହାତୀ ବ୍ୟାଟର୍ ବେନ୍ କୁପର ମୋଟ ୭୧ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ବେଳେ ୧୪୨୬ ରନ୍ କରିଛନ୍ତି । ଦିନିକିଆରେ ତାଙ୍କର ବ୍ୟକ୍ତିଗତ ସର୍ବାଧିକ ସ୍କୋର ୭୪ ରନ ଥିବା ବେଳେ ଟି-୨୦ରେ ସର୍ବାଧିକ ୯୧ ରନ କରିଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ କରି ବେନ୍ କୁପର ଅବସର ନେଇ ସୂଚନା ଦେଇଛନ୍ତି ।
୨୦୧୩ ମସିହାରେ କାନାଡା ବିପକ୍ଷରେ ଇଂଟରନ୍ୟାସନାଲ୍ ଡେବ୍ୟୁ କରିଥିଲେ ବେନ୍ କୁପର । ସେହି ବର୍ଷ ହିଁ ଆଫଗାନିସ୍ତାନ ବିପକ୍ଷରେ ଟି-ଟ୍ୱେଂଟି ଡେବ୍ୟୁ କରିଥିଲେ ବେନ୍ । ତାଙ୍କର ଶେଷ ମ୍ୟାଚ୍ ୨୦୨୧ ଅକ୍ଟୋବର ୨୨ ତାରିଖରେ ଶ୍ରୀଲଙ୍କା ବିପକ୍ଷରେ ଥିଲା । ନେଦରଲାଣ୍ଡର ପ୍ରଥମ ଖେଳାଳି ଭାବେ ଟି-୨୦ ଫର୍ମାଟରେ ସବୁଠାରୁ ଅଧିକ ସ୍କୋର କରିଛନ୍ତି ବେନ୍ କୁପର । ମୋଟ ୫୮ଟି ଟି-ଟ୍ୱେଂଟିରୁ ୨୮.୧୫ ହାରରେ ୧୨୩୯ ରନ କରିଛନ୍ତି ଯେଉଁଥିରେ ୯ଟି ଅର୍ଦ୍ଧଶତକ ସାମିଲ ଅଛି । ସେହିଭଳି ୧୩ଟି ଦିନିକିଆରେ ତାଙ୍କୁ ସୁଯୋଗ ମିଳିଥିବା ବେଳେ ମାତ୍ର ୧୮୭ ରନ କରିବାକୁ ସକ୍ଷମ ହୋଇଛନ୍ତି ଯେଉଁଥିରେ ଗୋଟିଏ ଅର୍ଦ୍ଧଶତକ ସାମିଲ ଅଛି । ଟ୍ୱିଟ୍ କରି ବେନ୍ କୁପର ସାଥୀ ଖେଳାଳି, କୋଚ୍ ଏବଂ ନେଦରଲାଣ୍ଡ କ୍ରିକେଟ୍ ବୋର୍ଡକୁ ଧନ୍ୟବାଦ ଜଣାଇଥିବା ବେଳେ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିବ ବୋଲି କହିଛନ୍ତି । ଏହା ସହିତ ସେ ତାଙ୍କ ପିତା-ମାତା ତଥା ପରିବାର ଲୋକଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ।
