ନୂଆବର୍ଷରେ ନୂଆ ଖବର, ଜାନୁୟାରୀ ଏତିକି ତାରିଖରେ ଓଡ଼ିଶାରେ ମିଳିବ ୫ଜି ସେବା
ଭୁବନେଶ୍ବର : ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। କାରଣ ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ରେଳଷ୍ଟେସନ ନବୀକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କୋଇଲା, ଖଣି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଯୋଗ ଦେଇଛନ୍ତି। ବିଶିଷ୍ଟ ଅତିଥି ଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିଧାୟକ ସୁର ରାଉତରାୟ ଓ ବିଧାୟକ ଅନନ୍ତ ନାରାୟଣ ଜେନା ମଧ୍ୟ ଯୋଗ ଦେଇଥିଲେ ।
କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ରେଳ କ୍ଷେତ୍ରରେ ବିକାଶ ପାଇଁ ଓଡ଼ିଶାକୁ ୧୦ ହଜାର କୋଟି ଟଙ୍କା ଦେଇଛନ୍ତି। ଓଡ଼ିଶାର ସର୍ବାଙ୍ଗୀନ ବିକାଶ ଓ ଉନ୍ନତି ପାଇଁ ମୋଦିଙ୍କର ଆନ୍ତରିକ ଇଚ୍ଛା ଅଛି। ରାଜନୀତି ଓ ଦଳୀୟ ମନୋଭାବରୁ ଉପରକୁ ଯାଇ କାମ କରିବାକୁ ସେ ଆହ୍ବାନ ଦେଇଛନ୍ତି। ଠିକ୍ ସେହିପରି ଟେଲିକମ୍ କ୍ଷେତ୍ରରେ ବିକାଶ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ହଜାର ୬୦୦ କୋଟି ଟଙ୍କା ଦେଇଛନ୍ତି। ତେବେ ଆମ ରାଜ୍ୟ ଓଡ଼ିଶାରେ ଜାନୁୟାରୀ ୨୬ ଅର୍ଥାତ୍ ସାଧାରଣତନ୍ତ୍ର ଦିବସ ପୂର୍ବରୁ ୫-ଜି ସେବା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।
ଅନ୍ୟପଟେ ଭୁବନେଶ୍ୱରରୁ ଭଦ୍ରକକୁ ମଧ୍ୟ ଏକ ନୂଆ ଟ୍ରେନ୍ ଚଳାଚଳ କରାଯିବ ବୋଲି ସେ ଆଜି ଘୋଷଣା କରିଛନ୍ତି। ସେପଟେ ଭୁବନେଶ୍ୱର ରେଳଷ୍ଟେସନ ନବୀକରଣ କାମ କରାଯାଉଥିବାରୁ ସାଂସଦ ଅପରାଜିତା ଷଡ଼ଙ୍ଗୀ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ଅଶ୍ୱିନୀ ବୈଷ୍ଣବ ମନ୍ତ୍ରୀ ହେବାର ଦୁଇଦିନ ପରେ ସାକ୍ଷାତ କରି ଭୁବନେଶ୍ୱର ରେଳଷ୍ଟେସନ ନବୀକରଣ ଲାଗି ଦାବି କରିଥିଲି। ତେବେ ଗତକାଲି ଭୁବନେଶ୍ୱର ରେଳ ଷ୍ଟେସନ ଭବିଷ୍ୟତରେ କିପରି ଦେଖାଯିବ ସେନେଇ ଏକ ତିନୋଟି ଫଟୋ ସେୟାର କରାଯାଇଥିଲା । ଏବେ ନବୀକରଣ କାମ ଆଗେଇ ଚାଲିଥିବାରୁ କିଛି ବର୍ଷ ମଧ୍ୟରେ ଭୁବନେଶ୍ୱର ରେଳ ଷ୍ଟେସନ ଏକ ନୂଆ ରୂପରେ ଦୃଶ୍ୟମାନ ହେବ।
ଏହି ପ୍ରକଳ୍ପ ପାଇଁ ୩୦୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି, ଯାହାକି ୨୪ ମାସ ଅର୍ଥାତ୍ ୨ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ । ସେହିପରି ୧୪ କିଲୋମିଟର ଦୈର୍ଘ୍ୟ ଅନୁଗୁଳ -ବଳରାମ ନୂତନ ରେଳ ଲାଇନ ପଣ୍ୟ କାରବାର ବିଶେଷ ଭାବେ କୋଇଲା ପରିବହନ ପାଇଁ ଉପଯୋଗ ହୋଇପାରିବ ଏବଂ ଏହା ବିଭିନ୍ନ ଶିଳ୍ପ ସଂସ୍ଥା ବିଶେଷ ଭାବେ ପାୱାର ହାଉସ ମାନଙ୍କୁ ସହାୟତା ଯୋଗାଇବ।
