ଆଇପିଏଲ୍ ନିଲାମ ପାଇଁ ୫ଟି ସହରକୁ ଚୟନ କଲା ବିସିସିଆଇ
ମୁମ୍ବାଇ : ଆସନ୍ତା ଆଇପିଏଲ୍ ସଂସ୍କରଣର ନିଲାମ ପ୍ରକ୍ରିୟା ପାଇଁ ବିସିସିଆଇ ପକ୍ଷରୁ ୫ଟି ସହରକୁ ଚୟନ କରାଯାଇଛି। ଏହି ତାଲିକାରେ ଭାରତର ୪ ସହର ନୂଆଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ଓ ବେଙ୍ଗାଲୁରୁ ସହିତ ତୁର୍କୀର ରାଜଧାନୀ ଇସ୍ତାନବୁଲ୍ ସ୍ଥାନ ପାଇଛି। ତଥାପି କେଉଁଠାରେ ନିଲାମ କାର୍ଯ୍ୟକ୍ରମ ଆୟୋଜନ କରାଯିବ ତାହା ନଭେମ୍ବର ପ୍ରଥମ ସପ୍ତାହରେ ବସିବାକୁ ଥିବା ଆଇପିଏଲ୍ ପରିଚାଳନା ପରିଷଦର ବୈଠକରେ ନିର୍ଧାରିତ ହେବ। ତେବେ ଇସ୍ତାନବୁଲ୍କୁ ଏଥିପାଇଁ ପ୍ରଥମ ପସନ୍ଦ ଭାବେ ରଖାଯାଇଥିଲା ବେଳେ ବେଙ୍ଗାଲୁରୁକୁ ଦ୍ବିତୀୟ ବିକଳ୍ପ ସହର ଭାବେ ପରିଗଣିତ କରାଯାଉଛି। ଡିସେମ୍ବର ୧୬ ତାରିଖରେ ନିଲାମ ପ୍ରକ୍ରିୟା ଆରମ୍ଭ ହେବ ବୋଲି କୁହାଯାଉଛି। ବିଦେଶରେ ଆଇପିଏଲ୍ ନିଲାମୀ ହେବା ନୂଆ ନୁହେଁ।
ପୂର୍ବରୁ ସିଙ୍ଗାପୁରରେ ଏହି ପ୍ରକ୍ରିୟା ଥରେ ଆୟୋଜିତ ହୋଇଥିଲା ବେଳେ ଆଉ ଏକ ବର୍ଷ ଲଣ୍ଡନ୍ରେ କରାଯିବାକୁ ଯୋଜନା ହୋଇଥିଲା। କିନ୍ତୁ ଲଣ୍ଡନରେ ନିଲାମ କାର୍ଯ୍ୟକ୍ରମ କଲେ ବ୍ୟୟବହୁଳ ହେବ ବୋଲି ଏକ ଫ୍ରାଞ୍ଚାଇଜ୍ ପକ୍ଷରୁ କୁହାଯିବାରୁ ଶେଷ ମୁହୂର୍ତ୍ତରେ ଏହାକୁ ବାତିଲ କରାଯାଇଥିଲା। ହେଲେ ଏବେ ଆଇପିଏଲ୍ର ଆୟ ତିନିଗୁଣ ବୃଦ୍ଧି ପାଇଥିବାରୁ ପ୍ରତ୍ୟେକ ଅଂଶଗ୍ରହଣକାରୀ ଦଳ ବିଦେଶକୁ ଯିବା ପାଇଁ ଆଗ୍ରହ ରଖୁଛନ୍ତି। ଅନ୍ୟପକ୍ଷରେ ବିଗତ ବର୍ଷମାନଙ୍କ ଅପେକ୍ଷା ଏଥର ଛୋଟ ଆକାରରେ ନିଲାମୀ କାର୍ଯ୍ୟକ୍ରମ ହୋଇପାରେ। ଏପରିକି ଗୋଟିଏ ଦିନରେ କାର୍ଯ୍ୟକ୍ରମ ଶେଷ ହେବା ସମ୍ଭାବନା ଅଧିକ। ଆଇପିଏଲ୍ ପକ୍ଷରୁ ତୁର୍କୀରେ ଏକ କର୍ମଶାଳା ଆୟୋଜନ କରିବାକୁ ବିସିସିଆଇ ଚିନ୍ତା କରୁଛି। ତେଣୁ ତୁର୍କୀ ଗସ୍ତକୁ ୩ରୁ ୪ ଦିନ ମଧ୍ୟରେ ସୀମିତ ରଖାଯିବାକୁ ଯୋଜନା କରାଯାଉଛି। ଦଳଗୁଡ଼ିକ ଯେଉଁ ଖେଳାଳିଙ୍କୁ ଛାଡ଼ିବାକୁ ଚାହୁଁଛନ୍ତି ତାହାର ତାଲିକା ନଭେମ୍ବର ୧୫ ତାରିଖ ସୁଦ୍ଧା ମଗାଯାଇଛି। ଗତ ବର୍ଷ ନିଲାମୀ ପାଇଁ ଦଳ ପିଛା ୯୦ କୋଟି ଟଙ୍କା ଧାର୍ଯ୍ୟ ହୋଇଥିଲା, କିନ୍ତୁ ଏଥର ଏହାକୁ ଆଉ ୫କୋଟି ବୃଦ୍ଧି କରାଯାଇଛି। ଆଇପିଏଲ୍ର ୨୦୨୩ ସଂସ୍କରଣ ମାର୍ଚ୍ଚ ତୃତୀୟ ସପ୍ତାହରୁ ଆରମ୍ଭ ହୋଇ ଜୁନ୍ ପ୍ରଥମ ସପ୍ତାହରେ ଶେଷ ହୋଇପାରେ ବୋଲି ବିସିସିଆଇ ସୂତ୍ରରୁ ସୂଚନା ମିଳିଛି।
