ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ଆବେଦନ ମଗାଇଲା ବିସିସିଆଇ
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଜାତୀୟ କ୍ରିକେଟ୍ ଦଳ ପାଇଁ କୋଚ୍ ଆବେଦନ ଜାରି କରିଛି। ପୁରୁଷ ଦଳ ପାଇଁ ପ୍ରମୁଖ କୋଚ୍ ବ୍ୟତୀତ ବ୍ୟାଟସମ୍ୟାନ, ବୋଲିଂ, ଫିଲ୍ଡିଂ କୋଚ୍ ପାଇଁ ଆବେଦନ ମଗାଯାଇଛି। ଏହା ବ୍ୟତୀତ ଜାତୀୟ କ୍ରିକେଟ୍ ଏକାଡେମୀର ସ୍ପୋର୍ଟ୍ସ ସାଇନ୍ସ/ମେଡିସିନର ପ୍ରମୁଖ ପଦ ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି।
ଭାରତୀୟ ଦଳର ବର୍ତ୍ତମାନ କୋଚ୍ ରବି ଶାସ୍ତ୍ରୀ ଏବଂ ସହାୟକ କର୍ମଚାରୀଙ୍କ କାର୍ଯ୍ୟକାଳ ଟି-୨୦ ବିଶ୍ଵ କପ୍ ପରେ ସରୁଛି। ତେଣୁ ଖାଲି ପଦରେ ନିଯୁକ୍ତି ପାଇଁ ବିସିସିଆଇ ଆବେଦନ ପ୍ରକ୍ରିୟା ଆରମ୍ଭ କରି ଦେଇଛି। ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ଆବେଦନ କରିବାର ଶେଷ ତାରିଖ ୨୦୨୧ ଅକ୍ଟୋବର ୨୬ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରହିଛି। ଏହା ବ୍ୟତୀତ ଅନ୍ୟ ପଦ ପାଇଁ ଆବେଦନର ଅନ୍ତିମ ତାରିଖ ନଭେମ୍ବର ୩ ପର୍ଯ୍ୟନ୍ତ ରଖାଯାଇଛି। ମୁଖ୍ୟ କୋଚ୍ଙ୍କ କାର୍ଯ୍ୟକାଳ ଦୁଇ ବର୍ଷ ରହିବ। ଆଶାୟୀଙ୍କ ସର୍ବନିମ୍ନ ଯୋଗ୍ୟତା ହେଉଛି ୩୦ ଟେଷ୍ଟ କିମ୍ବା ୫୦ ଦିନିକିଆ ମ୍ୟାଚ୍ ଖେଳିବାର ଅଭିଜ୍ଞତା ଥିବ। ଏହା ବ୍ୟତୀତ ଆଶାୟୀଙ୍କ ପାଖରେ ବିସିସିଆଇର ତୃତୀୟ ଲେବୁଲର ସାର୍ଟିଫିକେଟ୍ ରହିଥିବା ଦରକାର ଏବଂ ବୟସ ୬୦ ବର୍ଷରୁ କମ ହେବା ଉଚିତ୍। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡ ମୁଖ୍ୟ କୋଚ୍ ପାଇଁ ବିସିସିଆଇ ପ୍ରସ୍ତାବରେ ସହମତି ପ୍ରକାଶ କରିଛି। ଟି-୨୦ ବିଶ୍ଵ କପ୍ ପରେ ସେ ମୁଖ୍ୟ ପ୍ରଶିକ୍ଷକ ପଦ ଗ୍ରହଣ କରିବେ। ହେଲେ ଏହାକୁ ନେଇ କୌଣସି ଆନଷ୍ଠାନିକ ଘୋଷଣା ହୋଇ ନାହିଁ। ରାହୁଲ ଦ୍ରାବିଡ ଭାରତୀୟ କ୍ରିକେଟ୍ ଦଳର କୋଚ୍ ହେବା ସ୍ଥିର ହୋଇ ସାରିଥିବା ବେଳେ ବିଜ୍ଞପ୍ତି ମଗାଇ ବିସିସିଆଇ ନିଜର ଔପଚାରିକତା ପୂରଣ କରୁଛି।
