ବାତ୍ୟା ଜୱାଦ : ଆଜି ରାତି ୧୧ଟା ୩୦ରେ ଗଭୀର ଅବପାତ, ନିର୍ଦ୍ଧୁମ ଛେଚିବ
ଭୁବନେଶ୍ୱର : ପାଖଉଛି ବାତ୍ୟା ଜଓ୍ବାଦ । ଆଜି ରାତି ୧୧ଟା ୩୦ ମିନିଟ ସମୟରେ ଗଭୀର ଅବପାତର ରୂପ ନେବ ସାମୁଦ୍ରିକ ଝଡ ଜଓ୍ବାଦ । ସେହି ସମୟରେ ପବନର ବେଗ ୫୦ ରୁ ୬୦ କିମି ରହିବାର ସମ୍ଭାବନା ରହିଛି । ଏହା ସହ ପୁରୀ ନିକଟତର ହେବାବେଳକୁ ଏହା ବାତ୍ୟା ରୂପରେ ନ ରହି ଗଭୀର ଅବପାତ ରୂପରେ ପହଞ୍ଚିବ । ତେବେ ଦିଗ ପରିବର୍ତ୍ତନ କରୁଥିବାରୁ ଦୁର୍ବଳ ହେଉଛି ବାତ୍ୟା । ଏବେ ଉତ୍ତର ଦିଗରେ ଏହା ଗତି କରୁଛି ।
ଅନ୍ୟପଟେ ଏହାର ପ୍ରଭାବରେ ଆଜି ରାଜ୍ୟରେ ବର୍ଷା ଜାରି ରହିଛି । ସର୍ବାଧିକ ବର୍ଷା ପାରାଦୀପରେ ୮୨ ମିମି ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱରରେ ୧୩.୫ମିମି ରେକର୍ଡ କରାଯାଇଛି । ଉପକୂଳ ଓଡିଶାରେ ବର୍ଷାର ମଧ୍ୟ ପ୍ରଭାବ ରହିବ। ୫ ତାରିଖ ପର ଠାରୁ ବର୍ଷାର ପରିମାଣ କମିବ। ତେବେ ବାତ୍ୟାର ପ୍ରଭାବରେ ବର୍ଷା ଜାରି ରହିଥିବା ବେଳେ ୧୨୯ ବର୍ଷର ରେକର୍ଡ ବଜାୟ ରହିଥିବା ସୂଚନା ମିଳିଛି ।
ବାତ୍ୟା ‘ଜୱାଦ’ ପ୍ରଭାବରେ ଧିରେ ଧିରେ ଅଶାନ୍ତ ହେଉଛି ସମୁଦ୍ର । ସ୍ୱାଭାବିକ ଠାରୁ ଅଧିକ ଉଚ୍ଚରେ ଜୁଆର ଉଠିବା ଆରମ୍ଭ ହୋଇସାରିଲାଣି । ଯାହାର ପ୍ରଭାବ ତଳିଆ ଅଂଚଳରେ ପଡିବ ବୋଲି ଆଶଙ୍କା ରହିଛି । ସ୍ଥଳ ଭାଗକୁ ମାଡି ଆସିପାରେ ସମୁଦ୍ର ପାଣି । କେନ୍ଦ୍ରପଡ଼ା ଜିଲ୍ଲା ଟିକାୟତ ନଗର ଅଞ୍ଚଳରେ ୨ କିଲୋମିଟର ୬୪୦ ମିଟର ପର୍ଯ୍ୟନ୍ତ ସମୁଦ୍ର ପାଣି ମାଡି ଆସିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବାତ୍ୟା ଜୱାଦ ଏବେ ବିଶାଖାପାଟନମରୁ ପ୍ରାୟ ୨୫୦ କିଲୋମିଟର ଦକ୍ଷିଣରେ ରହିଛି । ଗୋପାଳପୁର ଠାରୁ ୩୬୦ କିଲୋମିଟର ଦୂରରେ ରହିଛି । ଏହା ପୁରୀଠାରୁ ୪୧୦ କିଲୋମିଟର ଦକ୍ଷିଣ-ପଶ୍ଚିମ ଏବଂ ପାରାଦୀପଠାରୁ ୫୧୦ କିଲୋମିଟର ଦୂରରେ ରହିଛି । ତେବେ ଗତ ୬ ଘଣ୍ଟା ମଧ୍ୟରେ ୬ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତିକରୁଛି ବାତ୍ୟା ଜୱାଦ। ଏହା ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳରୁ ପଶ୍ଚିମବଙ୍ଗର ପଶ୍ଚିମବଙ୍ଗ ବେଳାଭୂମିରେ ପହଞ୍ଚିବ । ଏହା ଉତ୍ତର-ଉତ୍ତର-ପୂର୍ବ ଦିଗକୁ ପୁନର୍ବାର ଫେରି ଆସିବ, ଓଡିଶା ଉପକୂଳ ଦେଇ ରବିବାର ମଧ୍ୟାହ୍ନରେ ପୁରୀ ନିକଟରେ ପହଞ୍ଚିବ ଏବଂ ଧୀରେ ଧୀରେ ଦୁର୍ବଳ ହେବ । ପରବର୍ତ୍ତୀ ସମୟରେ, ଏହା ଉତ୍ତର-ଉତ୍ତର-ପୂର୍ବ ଦିଗକୁ ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଉପକୂଳ ଆଡକୁ ଅଗ୍ରସର ହେବା ଏବଂ ଆହୁରି ଦୁର୍ବଳ ହେବାର ସମ୍ଭାବନା ରହିଥିବା ସୂଚନା ମିଳିଛି।
