ବାତ୍ୟା ଜୱାଦ : ୧୩୧ ବ୍ଲକ୍ର ୫.୭୮ ଲକ୍ଷ ହେକ୍ଟର ଚାଷ ଜମି ପ୍ରଭାବିତ
ଭୁବନେଶ୍ୱର : ବାତ୍ୟା ‘ଜୱାଦ’ ପ୍ରଭାବରେ ବର୍ଷା ଯୋଗୁଁ ରାଜ୍ୟର ୫.୭୮ ଲକ୍ଷ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି । ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ଅନୁଯାୟୀ ବାତ୍ୟା ଜନିତ ବର୍ଷା ଯୋଗୁଁ ରାଜ୍ୟର ୧୨ ଜିଲ୍ଲାର ୧୩୧ ବ୍ଲକର ଚାଷ ଜମି ପ୍ରଭାବିତ ହୋଇଛି । ପ୍ରଭାବିତ ଜିଲ୍ଲା ଗୁଡ଼ିକ ହେଲା ଗଂଜାମ, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୂରଭଂଜ ଓ ନୟାଗଡ଼ । କେନ୍ଦ୍ରୀୟ ଆନ୍ତଃ-ମନ୍ତ୍ରଣାଳୟ ଟିମ୍ ଗତ ଦୁଇଦିନ ଧରି ଜୱାଦ୍ ବାତ୍ୟା ଓ ବର୍ଷା ପ୍ରଭାବିତ ବିଭିନ୍ନ ଅଂଚଳ ପରିଦର୍ଶନ କରିଥିଲେ । ସୋମବାର ସଂଧ୍ୟାରେ ଏହି ଟିମ୍ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନ ପ୍ରଦୀପ କୁମାର ଜେନାଙ୍କ ସହ ଲୋକସେବା ଭବନ ସଭାଗୃହରେ କ୍ଷୟକ୍ଷତି ବିଷୟ ଆଲୋଚନା କରିଥିଲେ ।
ଆଲୋଚନା ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ ଭାରତୀୟ ପାଣିପାଗ ବିଭାଗଙ୍କ ପୁର୍ବାନୁମାନ ଅନୁସାରେ କୃଷକମାନଙ୍କୁ ପାଚିଲା ଶସ୍ୟ ଓ ଉଦ୍ୟାନଜାତ ଦ୍ରବ୍ୟ କ୍ଷେତରୁ ଆଣି ନିରାପଦ ସ୍ଥାନରେ ରଖିବାକୁ ପରାମର୍ଶ ଦିଆଯାଇ ଥିଲା । କୃଷକମାନେ ମଧ୍ୟ ବହୁ ଚେଷ୍ଟା କରିଥିଲେ । ଏତେ କମ୍ ସମୟ ମଧ୍ୟରେ ସମସ୍ତ ଧାନ, ପନିପରିବା ଓ ଅନ୍ୟାନ୍ୟ ଖରିଫ୍ ଫସଲ ଅମଳ କରି ନିରାପଦ ସ୍ଥାନକୁ ଆଣିବା ସମ୍ଭବ ହୋଇନଥିଲା । ବର୍ତମାନ କ୍ଷେତ୍ରସ୍ତରୀୟ କ୍ଷୟକ୍ଷତି ଆକଳନ କରାଯାଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ କହିଥିଲେ । ପ୍ରକୃତ କ୍ଷୟକ୍ଷତି ଆକଳନ ପ୍ରାୟ ୭ ଦିନ ମଧ୍ୟରେ ସରିଯିବ ବୋଲି ଉନ୍ନୟନ କମିଶନର ଶ୍ରୀ ଜେନା କହିଥିଲେ । ଖରିଫ ଫସଲ ପାଚିବା ସମୟରେ ଏହି ସାମୁଦ୍ରିକ ବାତ୍ୟା ଜନିତ ବର୍ଷା ଚାଷୀମାନଙ୍କର ପ୍ରଭୁତ କ୍ଷତି କରିଛି ବୋଲି କେନ୍ଦ୍ରୀୟ ଟିମ୍ ର ସଦସ୍ୟମାନେ କହିଥିଲେ । ଜମିରେ ପାଣି ଜମି ରହିବାରୁ ଚାଷୀ ମଧ୍ୟ ରବି ଫସଲ ନିମନ୍ତେ ମଞ୍ଜି ବୁଣିବାରୁ ବଂଚିତ ହୋଇଛନ୍ତି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନ ଶ୍ରୀ ଜେନା କହିଥିଲେ । ଉଲ୍ଲେଖନୀୟ ଯେ୬ ଜଣ ବିଶିଷ୍ଟ ଏହି ଟିମ୍ ଗୃହ ମନ୍ତ୍ରଣାଳୟର ଯୁଗ୍ମ ଶାସନ ସଚିବ ସୌରଭ ରାୟଙ୍କ ନେତୃତ୍ୱରେ ଓଡ଼ିଶା ଆସି ଗଂଜାମ, ପୁରୀ, ଜଗତସିଂପୁର, କଟକ, ଯାଜପୁର ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାର କ୍ଷତିଗ୍ରସ୍ତ ଅଂଚଳ ବୁଲି ଦେଖିବାସହ ଚାଷୀମାନଙ୍କ ସହିତ ସିଧା ସଳଖ ଆଲୋଚନା କରିଥିଲେ ।
