ମାଡ଼ି ଆସୁଛି ବାତ୍ୟା ‘ଗୁଲାବ’ : ବୁଡ଼ିବ ଉତ୍ତରବାଲେଶ୍ୱର, ସତର୍କ କଲା ପ୍ରଶାସନ
ବାଲେଶ୍ୱର : ପୂର୍ବ-ମଧ୍ୟୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନିଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇ ବାତ୍ୟାର ରୂପ ନେଇସାରିଛି । ରବିବାର ସଂଧ୍ୟାରେ ସ୍ଥଳ ଭାଗ ଛୁଇଁବ ବୋଲି ଭୁବନେଶ୍ୱର ସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆ ଯାଇଛି । ଫଳରେ ଗାଙ୍ଗେୟ ସମତଳ ଅଞ୍ଚଳରେ ଶନିବାର ମଧ୍ୟାହ୍ନରୁ ପାଗର ଅବନତି ହୋଇଛି । ଆକାଶରେ ମେଘର ଭୁକୁଟି ଦୃଶ୍ୟମାନ ହେଉଥିବା ବେଳେ କଳାମେଘର ଗୁରୁଗର୍ଜନ ବିଜୁଳିର ଚମକ ଲୋକଙ୍କୁ ଭୟଭୀତ କରୁଛି । ଏହି ଲଘୁଚାପ କ୍ରମଶଃ ବାତ୍ୟାରେ ପରିଣତ ହେଉଥିବାର କେତେକ ପାଣିପାଗ ବିଜ୍ଞାନୀ ସୂଚନା ଦେଉଥିବା ବେଳେ ଏହା ବାଲେଶ୍ୱର ଉପକୂଳରେ ପ୍ରଭାବିତ ହେବ ବୋଲି କୁହାଯାଉଛି । ଏହାସହିତ ତଳିଆ ଅଂଚଳରେ ବନ୍ୟା ପରିସ୍ଥିତି, ଜଳବନ୍ଦୀ ଅବସ୍ଥା, ମାଟି ରାସ୍ତା ଧୋଇଯିବା, କାନ୍ଥ ଭୁଷୁଡ଼ିବା, ସହରଗୁଡ଼ିକରେ ଜଳ ନିଷ୍କାସନରେ ସମସ୍ୟା ସହ ନଦୀର ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି । ସୁବର୍ଣ୍ଣରେଖାରେ ଜୁଲାଇରୁ ଅଦ୍ୟାବଧି ତିନୋଟି ମଧ୍ୟମଧରଣର ବନ୍ୟା ଆସିଥିବା ବେଳେ ପୁଣି ଏକ ବନ୍ୟା ଉତ୍ତରବାଲେଶ୍ୱବାସୀ ସାମ୍ନା କରିବାକୁ ଯାଉଛନ୍ତି । ଘନଘନ ଲଘୁଚାପ ସହ ମୌସୁମୀ ସକ୍ରିୟ ହୋଇ ତୁହାକୁ ତୁହା ବର୍ଷା ଲାଗି ରହିଥିବାରୁ ଉତ୍ତରବାଲେଶ୍ୱର ଜଳାର୍ଣ୍ଣବ ହୋଇଛି । ଏଥିସହିତ ଜଳକା ନଦୀର ଆକସ୍ମିକ ବନ୍ୟା ସହ ସୁବର୍ଣ୍ଣରେଖାର କ୍ରମାଗତ ବନ୍ୟା ଜନଜୀବନକୁ ଦୁର୍ବିସହ କରିଦେଇଛି । ସୁବର୍ଣ୍ଣରେଖା ଓ ଜଳକା ନଦୀର ଘନଘନ ବନ୍ୟା ସାଙ୍ଗକୁ ଅବିଶ୍ରାନ୍ତ ବର୍ଷା ଜନଜୀବନକୁ ଦୁର୍ବିସହ କରିଥିଲା ବେଳେ ପୁଣି ଏକ ଲଘୁଚାପ ଜନିତ ଝଡ଼ବର୍ଷା ଉତ୍ତରବାଲେଶ୍ୱରବାସୀଙ୍କୁ ଚିନ୍ତାରେ ପକାଇଛି ।
ସୁବର୍ଣ୍ଣରେଖା ଓ ଜଳକା ନଦୀର ବନ୍ୟା ଜଳ ହ୍ରାସ ପାଉଥିବା ବେଳେ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ଆଖିରେ ନ ଦେଖିଲେ ବିଶ୍ୱାସ କରି ହେବ ନାହିଁ । ଏବେବି ବହୁ ବିପନ୍ନ ପାଣି ଘେରରେ ଛୁଆପିଲା ଧରି ଭାଗ୍ୟକୁ ଆଦରି କଞ୍ଚାମାଟି ଘରେ ବିପଦପୂର୍ଣ୍ଣ ଅବସ୍ଥାରେ ଜୀବନ ବିତାଉଛନ୍ତି । ଚୁଲିରେ ପାଣି ଜମି ରହିଥିବାରୁ ପେଟକୁ ଦାନା ଯୋଗାଡ଼ କରିବା ସମ୍ଭବ ହୋଇପାରୁ ନାହିଁ । ଏଭଳି ସ୍ଥିତିରେ ପାଗର ଅବନତି ଘଟି ଶନିବାର ଠାରୁ ବର୍ଷା ଆରମ୍ଭ ହୋଇଛି । ଶନିବାର ଠାରୁ ସୋମବାର ପର୍ଯ୍ୟନ୍ତ ଲଘୁଚାପ ଘନିଭୂତ ହୋଇ ପ୍ରବଳ ବର୍ଷିବା ସହିତ ବତାଶର ବେଗ ୬୦ରୁ ୭୦ ପର୍ଯ୍ୟନ୍ତ ବହିବ ବୋଲି ପାଣିପାଗ କହୁଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ଟ୍ରଲର ଓ ଡ଼ଙ୍ଗାଗୁଡ଼ିକୁ ଶନିବାର ସନ୍ଧ୍ୟା ସୁଦ୍ଧା ଫେରି ଆସିବାକୁ ପ୍ରଶାସନ ମତ୍ସ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ସମୁଦ୍ର ଉତ୍ତାଳ ହେବାରୁ ସମୁଦ୍ର ବେଳାଭୂମିରେ ପର୍ଯ୍ୟଟକଙ୍କୁ ସମୁଦ୍ର ମନା କରାଯାଇଛି । ସେହିପରି ବିଗତ ବନ୍ୟା ଓ ବର୍ଷା ଯୋଗୁଁ ଭୋଗରାଇ, ଜଳେଶ୍ୱର, ବାଲିଆପାଳ ଓ ବସ୍ତା ଉବୁଟୁବୁ ହେଉଥିବା ବେଳ ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଗମନାଗମନ ବିଚ୍ଛିନ୍ନ ହୋଇଥିଲା । ଭୋଗରାଇର ୨୦ ପଞ୍ଚାୟତର ଶତାଧିକ ଓ ବାଲିଆପାର ୫ ପଞ୍ଚାୟତର ଅନ୍ୟୁନ ୨୦ଟି ଗାଁ ପାଣିରେ ଭାସୁଥିବା ବେଳେ ଲକ୍ଷାଧିକ ଲୋକ ଜଳବନ୍ଦୀ ହୋଇଥିଲେ । ଭୋଗରାଇ, ବାଲିଆପାଳ ତଳି ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ ପୁଣି ଲଘୁଚାପ ବନ୍ୟା ବିପନ୍ନଙ୍କ ବିପତ୍ତି ବଢ଼ିବାରେ ଲାଗିଛି । ଉଦ୍ବୃତ୍ତ ବର୍ଷା ଓ ବନ୍ୟା ଯୋଗୁଁ ବହୁ ପରିବା ଚାଷ ତଥା ଧାନ ଚାଷ ନଷ୍ଟ ହୋଇଛି । ନଦୀର ଉଭୟ ପାଶ୍ୱର୍ରେ ନଦୀ ବନ୍ଧ ଦୁର୍ବଳ ଥିବାରୁ ସେଚ ବିଭାଗକୁ ତୀକ୍ଷ୍ଣ ନଜର ରଖିବା ପାଇଁ ପରାମର୍ଶ ଦିଆଯାଇଛି । ଅଫିସରମାନେ ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ିବେ ନାହିଁ । ଆସନ୍ନ ପ୍ରସବାଙ୍କୁ ମେଡିକାଲ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହିସବୁକୁ ଦୃଷ୍ଟିରେ ରଖି ବାତ୍ୟା ପୂର୍ବରୁ ଜିଲାପ୍ରଶାସନ ଲୋକଙ୍କୁ ସତର୍କ କରାଯାଇଛି ।
